
ପ୍ରାପ୍ୟ ଟଙ୍କା ମାଗିଲେ ମାର୍ଫତଦାରଙ୍କ ଠାରୁ ମିଳୁଛି ଧମକ : ଦେଢ଼ ବର୍ଷ ବିତିଯାଇଥିଲେ ସୁଦ୍ଧା ମିଳୁନି କପା ଚାଷୀଙ୍କ ପ୍ରାପ୍ୟ

ପାଟଣାଗଡ଼, (ଗୋରେଖନାଥ ବରିହା) : କଲାହାଣ୍ଡି ଜିଲ୍ଲା କେଗାଁ ଅଞ୍ଚଳର କିଛି କପା ଚାଷୀ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣ ଧାରଣାରେ ବସି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ରାଧାରମଣ ଜିନିଙ୍ଗ ମିଲରକୁ ତିନି ଜଣ ମାର୍ଫତଦାର ଜରିଆରେ କପା ବିକ୍ରି କରିଥିବା ଟଙ୍କା ଦେଢ ବର୍ଷ ହେବ ପାଇନଥିବାରୁ ଚାଷୀ ମାନେ ପ୍ରାପ୍ୟ ପାଇବା ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଦାୟିତ୍ଵରେ ଥିବା ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି ।

ଚାଷୀଙ୍କ ଅଭିଯୋଗ ଅନୁସାରେ କେଗାଁ ଅଞ୍ଚଳର କିଛି କପା ଚାଷୀ ମାନେ କପା ଅମଳ ପରେ ୨୦୨୦ରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ କପାଣି ସ୍ଥିତ ରାଧାରମଣ ଜିନିଙ୍ଗ ମିଲର ମାର୍ଫତଦାର ରମେଶ ଜୈନ ଏବଂ କେଶବ କାପଡିଆ, ବିକ୍ରମ ଅଗ୍ରୱାଲ ଜରିଆରେ କପା ବିକ୍ରୟ କରିଥିଲେ । ଯାହାର ବିକ୍ରି ମୂଲ୍ୟ ପ୍ରାୟ ୩୨ଲକ୍ଷ ୯୦ ହଜାର ୩୧ ଟଙ୍କା ହେବ ବୋଲି ଦାବୀପତ୍ରରେ ଚାଷୀ ମାନେ ଉଲ୍ଲେଖ କରିଛନ୍ତି । ଆଜକୁ ପ୍ରାୟ ଦେଢ଼ ବର୍ଷ ହେବ ଚାଷୀମାନେ ରମେଶ, କେଶବ ଓ ବିକ୍ରମଙ୍କ ଜରିଆରେ ରାଧାରମଣ ଜିନିଙ୍ଗ ମିଲରକୁ ବିକ୍ରି କରିଥିବା କପାର ମୂଲ୍ୟ ପାଇନାହାନ୍ତି । ଏହି ଘଟଣାକୁ ନେଇ ଗତ ଅଗଷ୍ଟ ୧୪ ତାରିଖରେ ପାଟଣାଗଡ଼ ବିଧାୟକଙ୍କୁ ସାକ୍ଷାତ କରି ଚାଷୀ ମାନେ ତାଙ୍କ ସମସ୍ୟା ବିଷୟରେ ଜଣାଇଥିଲେ । ପରେ ରମେଶ ଓ କେଶବ ଚାଷୀର କପା ମୂଲ୍ୟ ବାବଦକୁ ନେଇ ଆଲୋଚନା ପରେ ଉଭୟ କିଛି ଦିନ ସମୟ ମାଗିଥିଲେ । ହେଲେ ଏପର୍ଯ୍ୟନ୍ତ ଚାଷୀ ମାନଙ୍କୁ ଟଙ୍କା ଦେବା ନାଁରେ ଦିନ ପରେ ଦିନ ଗଡ଼ାଇ ଚାଲିଥିବା ଚାଷୀମାନେ କହିଛନ୍ତି । ବିକ୍ରି କରିଥିବା କପା ମୂଲ୍ୟ ମାଗିବାରୁ ଏହି ଜିନିଙ୍ଗ ମିଲର୍ ମାର୍ଫତଦାର ମାନେ ଚାଷୀ ମାନଙ୍କୁ ଧମକ ଚମକ କରୁଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ ଚାଷୀ ମାନେ ପ୍ରକାଶ କରିଛନ୍ତି । ପରେ କେଗାଁର ଚାଷୀ ମାନେ କିଛି ଉପାୟ ନପାଇ ଗତ ୧ ତାରିଖ ଦିନ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିବା ସହ ଏହାର ଏକକିତା ନକଳ ବଲାଙ୍ଗିର ଜିଲ୍ଲାପାଳ, ପାଟଣାଗଡ଼ ବିଧାୟକ, ପୁଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ଅବଗତ ନିମନ୍ତେ ପ୍ରେରଣ କରିଥିଲେ । ହେଲେ ଆଜିକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନ ନେଇଥିବାରୁ ଆଜି ପୁଣି କେଗାଁର ଚାଷୀ ମାନେ ନରହରି ବାଗଙ୍କ ନେତୃତ୍ୱରେ ଚାଷୀ ମାନେ କଲେଜ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ କପା ଟଙ୍କା ପଇଠ କରୁନଥିବା ତିନି ଜଣ ମାର୍ଫତଦାରଙ୍କ ନାମରେ ନାରାବାଜି କରିଥିଲେ । ପରେ ଉପଜିଲ୍ଲାପାଳ ଡ଼. ପଣ୍ଡା ଆଲୋଚନା ପାଇଁ ଚାଷୀ ମାନଙ୍କୁ ଅଫିସକୁ ଡାକିଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅଛି । ଗସ୍ତ ପରେ ମିଲର୍ସ ଓ ଚାଷୀଙ୍କୁ ଡାକି ଏକ ଆଲୋଚନା କରାଯିବା ସହ ଏହାର ସମାଧାନ ବାଟ ବାହାର କରାଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଚାଷୀମାନେ ଧାରଣାରୁ ଓହରିଥିଲେ ।
