ନିଷିଦ୍ଧ ବିଟି କପାଚାଷ, ପ୍ରଶାସନ ନୀରବଦ୍ରଷ୍ଟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ଚାଷଜମିରେ ଆନ୍ଧ୍ରଚାଷୀଙ୍କ ଦାଦାଗିରି । ସ୍ଥାନୀୟ ଚାଷୀଙ୍କୁ ମାତ୍ର କେଇଟା ଟଙ୍କାରେ ବଶୀଭୂତ କରି ହାତେଇ ନେଇଛନ୍ତି ଶହଶହ ଏକର ଜମି । ଆଉ ସେହି ଜମିରେ ଆନ୍ଧ୍ରଚାଷୀ କରୁଛନ୍ତି ସରକାରଙ୍କ ଦ୍ୱାରା ନିଷିଦ୍ଧ ଘୋଷିତ ବିଟି କପାଚାଷ । କେବଳ ସେତିକି ନୁହେଁ, ସରକାରୀ ତଥା ଗୋଚର ଜମି ଜବରଦଖଲ କରି ଆନ୍ଧ୍ରଚାଷୀ ସେଥିରେ ଏହି କପାଚାଷ କରୁଥିବା ଦେଖିବାକୁ ମିଳିଛି । ଆଉ ଏପଟେ ଖାଦ୍ୟାଭାବରୁ ଅଞ୍ଚଳର ଗାଈଗୋରୁ ବର୍ତ୍ତମାନ ବିପଦ ମୁହଁରେ । ଆବଶ୍ୟକ ଚାରଣ ଭୂମିର ଅଭାବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଗୋ ସମ୍ପଦ କମିବାରେ ଲାଗିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ବ୍ଲକରେ । ଲୋଇସିଂହା ବ୍ଲକର ବୁଢ଼ୀପଦର, ବାଦୀବାହାଲ, କନ୍ଦାଜୁରୀ, ବାନିପାଲି, ଝାରମୁଣ୍ଡା, ରତାଖଣ୍ଡି, ରେଙ୍ଗାଲି ପ୍ରଭୃତି ପଞ୍ଚାୟତର ଶହ ଶହ ଏକର ଚାଷଜମି ବର୍ତ୍ତମାନ ଆନ୍ଧ୍ରଚାଷୀଙ୍କ କବଜାରେ । ସରକାରୀ ଭାବେ ନିଷିଦ୍ଧ ଘୋଷିତ ବିଟି କପାରେ ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ ଫଳରେ ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତ ବିଶାଲପାଲି ଗ୍ରାମର ଶଶିକାନ୍ତ ବିଶ୍ୱାଳଙ୍କ ଧାନଚାଷ କ୍ଷତିଗ୍ରସ୍ତ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ କୃଷି ବିଭାଗ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଜଣାଯାଇଛି । ଅପରପକ୍ଷରେ ଏହି କପାଗଛ ବିହନ ପାକଳ ହେବା ସମୟରେ ଏକ ପୋକ ବାହାରି “ସ୍କ୍ରବ ଟାଇଫସ” ନାମକ ମାରାତ୍ମକ ରୋଗ ସୃଷ୍ଟି କରୁଥିବା ସାଧାରଣରେ ଆଲୋଚନା ହେଉଛି । ନିକଟସ୍ଥ ହୀରାପୁର ଗ୍ରାମର ଦୁଇଜଣ ବ୍ୟକ୍ତି ଏହି ରୋଗ କବଳରେ ପଡି ବର୍ତ୍ତମାନ ମୃତ୍ୟୁ ସହିତ ସଂଗ୍ରାମରତ ଥିବା ଜଣାଯାଇଛି । ତେବେ କୃଷି ସେବାସଙ୍ଘ ଅଧିକାରୀମାନେ ସାମୁହିକ ଛୁଟିରେ ଥିବାରୁ କୌଣସି ଜିଲ୍ଲା ତଥା ବ୍ଲକସ୍ତରୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ବଲାଙ୍ଗିର ଜିଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବା ସକାଶେ ସ୍ଥାନୀୟ ଚାଷୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.