ସଂଗ୍ରାମୀ ଆଦିବାସୀ ନେତାଙ୍କୁ ହରାଇ କାନ୍ଦୁଛି ମାଟି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଜମିଦାର ତଥା ପୂର୍ବତନ ବିଧାୟକ ସ୍ବର୍ଗତ ରମେଶ ଚନ୍ଦ୍ର ସିଂ ଭୋଇଙ୍କ ବଡ଼ ପୁଅ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ସଭାପତି ବ୍ରଜକିଶୋର ସିଂ ଭୋଇଙ୍କ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭.୪୦ରେ ତାଙ୍କ ମୃତ୍ୟୁ ଘଟିଛି । ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ମତେ ସେ ସଇଁନ୍ତଳା ଜମିଦାର ସ୍ବର୍ଗତ ରମେଶ ସିଂ ଭୋଇଙ୍କ ପରିବାର ରେ ୩୦.୧୨.୧୯୪୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସଂଗ୍ରାମୀ ଆଦିବାସୀ ନେତା ବ୍ରଜକିଶୋର ସିଂ ଭୋଇ । କିଛି ଦିନ ତଳେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଚିନ୍ତିତ ଥିବା ବେଳେ ଭାଙ୍ଗି ପଡିଥିଲେ । ବର୍ତ୍ତମାନ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ପାଇଁ ଲଢେଇ କରି ଆସୁଥିଲେ ।

ସେ ଉଚ୍ଚ ଶିକ୍ଷା ଲାଭ କରିବା ପରେ ପ୍ରଥମେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ସେ ବ୍ୟାଙ୍କ ମ୍ୟାନେଜର ଭାବରେ କାର୍ୟ୍ୟରତ ଥିଲେ । ହେଲେ ତାଙ୍କ ଇଚ୍ଛା ଚାକିରୀରେ ନ ଥିଲା । ଶେଷରେ ଚାକିରୀ ଛାଡି ଦେଇ ରାଜନୀତିରେ ପାଦ ଦେଲେ। ରାଜନୀତିରେ ପାଦ ଦେବା ପରେ ପ୍ରଥମେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ସ୍ବର୍ଗତ ଜମିଦାର ତଥା ପୂର୍ବତନ ବିଧାୟକ ରମେଶ ସିଂ ଭୋଇ ସେ ଅନେକ ଥର ବିଧାୟକ ହେବା ପରେ ତାଙ୍କ ବଡ଼ ପୁଅ ରାଜନୀତି ମଇଦାନକୁ ଆସିବାକୁ ଇଚ୍ଛା କରିଥିଲେ। ପରେ କଂଗ୍ରେସ ଦଳକୁ ଛାଡି ବିଜେପିରେ ସେ ସାମିଲ ହୋଇଥିଲେ । ହେଲେ ସେହି ଦଳରେ ବି ତାଙ୍କ ଇଚ୍ଛା ରହିଲା ନାହିିଁ । ପରେ ୨୦୧୪ ମସିହାରେ ଘୁନସର ଖେଳପଡ଼ିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଟୁକୁନି ସାହୁ, ପୁର୍ବତନ ସାଂସଦ କଲିକେଶ ନାରାୟଣ ସିଂଦେଓଙ୍କ ଉପସ୍ଥିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା କରିବା ସହ ବିଜେଡିରେ ସାମିଲ କରିଥିଲେ । ସେ ସଇଁନ୍ତଲା ଆଇନଜୀବୀ, ଆଦିବାସୀ ବାର୍ତା ସମ୍ପାଦକ, ପଶ୍ଚିମାଞ୍ଚଳ ଆଦିବାସୀ ମହାସଂଘ କାର୍ୟ୍ୟକାରୀ ସଭାପତି ଭଳି ଅନେକ ଗରୁ‌ତ୍ୱପୂ‌ର୍ଣ୍ଣ ପଦବୀ ପାଇବା ପରେ ଦିନ ରାତି ଏକ କରି ସେ ଆଦିବାସୀ ମାନଙ୍କ ସ୍ୱରରେ ସ୍ୱର ମିଶାଇ ଲଢେଇ କରୁଥିଲେ । ତେବେ ଏଭଳି ଏକ ସଂଗ୍ରାମୀଙ୍କୁ ହରାଇ କାନ୍ଦୁଛି ମାଟି । ତାଙ୍କ ଅକାଳ ବିୟୋଗରେ ସମଗ୍ର ଆଦିବାସୀ ସମାଜ ମର୍ମାହତ । ତାଙ୍କ ଵିୟୋଗରେ ସାରା ଓଡ଼ିଶାରେ ଆଦିବାସୀ ସମାଜର ଅପୁରଣୀୟ କ୍ଷତି ଘଟିଛି । ତେବେ ସାରା ରାଜ୍ୟରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ସେ। ତାଙ୍କ ସାନ ଭାଇ ପୁର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ତାଙ୍କୁ ହରାଇ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି । ବଡ଼ଭାଇ‌ଙ୍କ ଅମର ଆତ୍‌ମାର ସଦ୍‌ଗତି କାମନା କରିଛ‌ନ୍ତି । ଓଡ଼ିଶା ଶିଶୁ ଓ ମହିଳା ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପୁର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ଶରତ ପଟନାୟକ, ବଲା‌ଙ୍ଗିର ଜି‌ଲ୍ଲା ସାଂବାଦିକ ସଂଘ ସଭାପତି ହରିନାରାୟଣ ପୂଜାରୀ, ବଲା‌ଙ୍ଗିର ଜି‌ଲ୍ଲା ପେସାଦାର ସାଂବାଦିକ ସଂଘ ସଭାପତି ଆନଂଦ ଚଂଦ୍ର ସାହୁ, ଓୟୁଜେ ଜିଲ୍ଲା ସଂଘ ସଭାପତି ଦୀପକ ସମଜଦାର, କୋଶଳ ରାଜ୍ୟ ସମନ୍ୱୟ କମିଟିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର, ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ପ୍ରମୁଖ ତା‌ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛ‌ନ୍ତି ।

Leave A Reply

Your email address will not be published.