centurian jitm

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ଥାନୀୟ “ଦିଶା” କମିଟି ବୈଠକ ଅନୁଷ୍ଠିତ

nschool

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ସ୍ଥାନୀୟ ବିକାଶ ଭବନ ଠାରେ ଆଜି ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ନିରୀକ୍ଷଣ କମିଟି ବୈଠକ (District Development Coordination & Monitoring Committee, DISHA) ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ମାନ୍ୟବର ସାଂସଦ ସୁନ୍ଦରଗଡ଼ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ଉପବାଚସ୍ପତି , ଓଡ଼ିଶା ବିଧାନ ସଭା ତଥା ମାନ୍ୟବର ବିଧାୟକ ତଳସରା ଭବାନୀ ଶଙ୍କର ଭୋଇ, ମାନ୍ୟବର ବିଧାୟକ ସଦର ଯୋଗେଶ କୁମାର ସିଂ, ମାନ୍ୟବର ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ମାନ୍ୟବର ବିଧାୟକ ରାଉରକେଲା ସାରଦା ପ୍ରସାଦ ନାୟକ, ମାନ୍ୟବର ବିଧାୟକ ବଣାଇ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲାପାଳ ମନୋଜ ମହାଜନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ତଥା ଦିଶା ବୈଠକ ନିମନ୍ତେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ନୋଡାଲ ଅଧିକାରୀ ଜୟଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ଜିଲ୍ଲାରେ ସଫଳ ରୂପାୟନ ଏବଂ ଠିକ୍ ସମୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା । ଯୋଜନା ଗୁଡିକ ମଧ୍ୟରେ ହେଲା ଏମ ଜି ଏନ୍ ଆର ଇ ଜି ଏସ, ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଡି ଡି ୟୁ ଜି କେ ୱାଏ, ପ୍ରଧାନ ମନ୍ତ୍ରୀ କୁଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ଗ୍ରାମୀଣ) , ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ), ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, ଜଳ ଜୀବନ ମିଶନ, ଶ୍ୟାମ ପ୍ରସାଦ ମୁଖାର୍ଜୀ ଅର୍ବାନ ମିଶନ, ଅମୃତ, ପ୍ରଧାନମନ୍ତ୍ରୀ କୃଷି ସେଚନ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ସମଗ୍ର ଶିକ୍ଷା ଅଭିଯାନ, ବେଟି ବଚାଓ ବେଟି ପଢାଓ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା,ସୁଗମ୍ୟ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ କୃଷି ବିକାଶ ଯୋଜନା ଇତ୍ୟାଦି । ଏହି ଅବସରରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ ପ୍ରତ୍ୟେକ ଦୃଷ୍ଟିରୁ ଜିଲ୍ଲାର ବିକାଶ ପ୍ରତି ଗୁରୁତ୍ଵାରୋପ କରିଥିଲେ ଏବଂ ବିଭିନ୍ନ ବୈଠକ ମାନଙ୍କରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଉଥିବା ଆଲୋଚନା ଗୁଡ଼ିକ ଉପରେ କଣ କଣ ପଦକ୍ଷେପ ଗ୍ରହଣ କରାଯାଇଛି ତାର ସମୀକ୍ଷା ମଧ୍ୟ କରାଯିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେହିପରି ସମସ୍ତ ବିଭାଗ ଗୁଡ଼ିକ ନିଜ ଅନ୍ତର୍ଗତ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପ, ଯୋଜନା ଗୁଡ଼ିକର ସବିଶେଷ ତଥ୍ୟ, ବିଭାଗୀୟ କାର୍ଯ୍ୟକଳାପ ଏବଂ ବିଭିନ୍ନ ସଫଳତାର କାହାଣୀ ଗୁଡ଼ିକ ସାଧାରଣ ଜନତାଙ୍କ ସୂଚନା ନିମନ୍ତେ ନିଜ ନିଜର ୱେବସାଇଟ କିମ୍ବା ଅନ୍ୟାନ୍ୟ ପବ୍ଲିକ ଫୋରମ୍ ମାନଙ୍କରେ ଉପଲବ୍ଧ କରିବାକୁ କହିଥିଲେ । ସେହିଭଳି ଅଣକୁଶଳୀ ଶ୍ରମିକ ମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା ପାଇଁ ଜିଲ୍ଲାରେ ଆହୁରି ଅଧିକ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ସେହିଭଳି ଡି ଡି ୟୁ ଜି କେ ୱାଏ ଅନ୍ତର୍ଗତ ପ୍ରଶିକ୍ଷଣ ପାଇଥିବା ପିଲାମାନେ କିଭଳି ଚାକିରି ପାଇ ପାରିବେ ଏବଂ ଜିଲ୍ଲାରେ ଅଧିକରୁ ଅଧିକ ଲାଖପତି ଦିଦି କିଭଳି ସୃଷ୍ଟି ହୋଇପାରିବେ ତାହା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥିଲେ । ବୈଠକରେ ଜିଲ୍ଲାପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.