ଟାଟା ପାୱାରର ସ୍ମାର୍ଟ ମିଟର ଲଗାଣ ବିରୁଦ୍ଧରେ ଲଢେଇ ଜାରି ରହିବ – ବଲାଙ୍ଗିର ନାଗରିକ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ବଲାଙ୍ଗିର ନାଗରିକ କମିଟିର ସପ୍ତମ ସାଧାରଣ ପରିଷଦ ବୈଠକ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କାର୍ଯ୍ୟ ତୁଳାଉଥିବା ସ୍ୱର୍ଗତ ଗଜେନ୍ଦ୍ର ତ୍ରିଭୁବନ ଦାସ ଭର୍ମରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ସମସ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ପରେ ସଭାପତିଙ୍କ ଅନୁରୋଧ କ୍ରମେ ସାଧାରଣ ସଂପାଦକ ମଧୁସୁଦନ ନାୟକ ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ବଲାଙ୍ଗିର ନାଗରିକ କମିଟି ଟାଟା ପାୱାର ସ୍ମାର୍ଟ ମିଟର ଲଗାଣ ବିରୁଦ୍ଧରେ ଦେଇଥିବା ଆନ୍ଦୋଳନ ଡାକରାକୁ ଆହୁରି ତୀବ୍ରତର କରିବା ପାଇଁ ବଲାଙ୍ଗିର ଜନସାଧାରଣଙ୍କୁ ଅଧିକ ସଂଖ୍ୟାରେ ସାମିଲ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସାଂଗଠନିକ ସଂସ୍ଥା, ସାମାଜିକ ସଂଗଠନର ପ୍ରତିନିଧି, ନାଗରିକ କମିଟିର କାର୍ଯ୍ୟକାରୀ କମିଟିର ସଦସ୍ୟ ବୃନ୍ଦ ଓ ସାଧାରଣ ସଦସ୍ୟଙ୍କୁ ନେଇ ଏକ ସମନ୍ୱୟ ସମିତି ଗଠନ ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା । ଡା. ଲକ୍ଷ୍ମୀକାନ୍ତ ମହାପାତ୍ର ଆନ୍ଦୋଳନ ପନ୍ଥାକୁ ଆପଣାଇ ନନେଇ ସରକାରଙ୍କ ସହିତ ପତ୍ରାଳପ ଓ ବୁଝାମଣା ଜନିତ ଚାପ ସୃଷ୍ଟି କରି କାର୍ଯ୍ୟ ହାସଲ କରିବାକୁ ପରାମର୍ଶ ଦେବା ସହିତ ବଲାଙ୍ଗିରରେ ଟେକ୍ସଟାଇଲ ମିଲ୍‌ ସ୍ଥାପନ ଏବଂ ବଲାଙ୍ଗିର ମେଡିକାଲରେ ବିଭିନ୍ନ ବିଭାଗରେ ସ୍ପେସାଲିଷ୍ଟ ଡାକ୍ତର ପଦବି ପୁରଣ ଉପରେ ନାଗରିକ କମିଟି ଗୁରୁତ୍ୱ ଆରୋପ କରିବାକୁ ମତ ରଖିଥିଲେ । ସ୍ମାର୍ଟ ମିଟର ଲଗାଣ ସମ୍ପର୍କରେ କିଛି ସଦସ୍ୟ ବୁଝାମଣା ଓ ପତ୍ରାଳାପ ପନ୍ଥାକୁ ଆପଣାଇବାକୁ ମତ ରଖିଥିବା ବେଳେ ସଂଖ୍ୟାଧିକ ସଦସ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ । ପୁରୁଣା ମିଟର ଓ ସ୍ମର୍ଟ ମିଟରର ତୁଳନାତ୍ମକ ପ୍ରଦର୍ଶନ ଏବଂ ଯେହେତୁ ଟାଟା ପାୱାର ନିଜ ତରଫରୁ ସ୍ମାର୍ଟ ମିଟର ଲଗାଉଛି ତେଣୁ ମିଟର ପାଇଁ କୌଣସି ମୂଲ୍ୟ ଦିଆନଯାଉ ବୋଲି କେତେକ ସଦସ୍ୟ ମତ ରଖିଥିଲେ । ଅଧିକ ମତ ଆନ୍ଦୋଳନ ସପକ୍ଷରେ ରହିଥିବାରୁ ଶେଷରେ ଆନ୍ଦୋଳନ ଚାଲୁ ରଖିବାକୁ ସମନ୍ୱୟ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା । ସାଧାରଣ ସଦସ୍ୟମାନଙ୍କ ମଧ୍ୟରୁ ଧନଞ୍ଜୟ ମିଶ୍ର ଓ ଛବିଲାଲ ବେହେରା ସମନ୍ୱୟ କମିଟିରେ ସାମିଲ ହେବାକୁ ସମ୍ମତି ପ୍ରଦାନ କରିଥିଲେ । ସମନ୍ୱୟ କମିଟିର ପ୍ରଥମ ସଭା ଆସନ୍ତା ତା.୧୦.୦୮.୨୦୨୪ ସରକାରୀ ଟାଉନ ଉଚ୍ଚ ବାଳିକା ଉଚ୍ଚ ବିଦ୍ୟାଳୟରେ ଘ.୬.୩୦ମି.ରେ ବସିବ ଓ ପରବର୍ତ୍ତି କାର୍ଯ୍ୟପନ୍ଥା ନିର୍ଦ୍ଧାରିତ ହେବ ବୋଲି ସଭାପତି ଘୋଷଣା କରିଥିଲେ । ଡା. ଲକ୍ଷ୍ମୀକାନ୍ତ ମହାପାତ୍ର, ଗୌର ଚନ୍ଦ୍ର ପୁରୋହିତ, କିଶୋର ମୋହନ ମିଶ୍ର, ଧନଞ୍ଜୟ ମିଶ୍ର, ଅଶୋକ କୁମାର ମିଶ୍ର, ଛବିଲାଲ ବେହେରା, ଧର୍ମବ୍ରତ ରଥ, ମନୋରଂଜନ ପୁରୋହିତ, ନରେଶ କୁମାର ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସହ-ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.