କାମନା ଦଣ୍ଡ ଯାତ୍ରାରେ ଚଳ ଚଞ୍ଚଳ ହେଉଛି ଅଞ୍ଚଳ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଅଞ୍ଚଳରେ ବିଷୁବ ସଂକ୍ରାନ୍ତିର ୧୩ ଦିନ ପୂର୍ବରୁ କାମନା ଦଣ୍ଡ ଯାତ୍ରା ଅନୁଷ୍ଠିତ ହୁଏ । ପ୍ରାରମ୍ଭରେ ଦଣ୍ଡକୁ ଜୀବନ ଦାନ, ୧୩ ଭୋକ୍ତାଙ୍କ ପଇତା ଧାରଣ ସହ ଶିବ ମନ୍ଦିରରୁ ଆଜ୍ଞା ନେଇ ଏହି ଯାତ୍ରା ଆରମ୍ଭ ହୁଏ । ୧୩ ଦିନ ଯାକ ମାନସିକଧାରୀଙ୍କ ଦୁଆର ସମ୍ମୁଖରେ ଧୂଳି ଦଣ୍ଡ, ପରେ ନିକଟସ୍ଥ ଜଳାଶୟରେ ପାଣି ଦଣ୍ଡ ଓ ସନ୍ଧ୍ୟାରେ ଅଗ୍ନି ଦଣ୍ଡ ସହ ଦାତାଙ୍କ ଘର ସମ୍ମୁଖରେ ଶିବ ଶିବାଙ୍କୁ ସ୍ଥାପନ କରି ସାରା ରାତ୍ର ଦଣ୍ଡ ନାଟ ପରିବେଷଣ କରାଯାଏ । ବାବା, ଶିବ ପାର୍ବତୀ, ଚଢ଼େୟା ଚଢ଼େୟାଣୀ, ଶବର, ବୀଣା କାର, କର୍ଣ୍ଣ ଦାନୀ ଚରିତ୍ର ଭଳି ବିଭିନ୍ନ ସୁଆଙ୍ଗ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଏହି ବ୍ଲକ୍‌ରେ ୬ ଗୋଟି ଦଣ୍ଡ ଦଳ ଯଥା, ତଳସାଗରପଡା, ବୁରାଟ, ସିର୍କିହେକୁ, ପଣ୍ଡକାମାଳ(କଲୋନୀପଡା), ଶୁଣ୍ଢୀପଡା, ବମକ ଦଳ ବିଭିନ୍ନ ଗ୍ରାମରେ ଦଣ୍ଡ ଯାତ୍ରା ପରିବେଷଣ କରୁଛନ୍ତି । ତଳସାଗରପଡା ଓ ଶୁଣ୍ଢୀପଡା ଦଳ ଭବାନୀପାଟଣାଠାରେ ମଧ୍ୟ ଯାତ୍ରା କରିଥିବା ବେଳେ ଅନ୍ୟ ଦଳ ଗୁଡ଼ିକ ମ.ରାମପୁର, କର୍ଲାମୁଣ୍ଡା, ନର୍ଲା ଆଦି ବ୍ଲକ ବିଭିନ୍ନ ଗ୍ରାମରେ ଏହି ଯାତ୍ରା କରୁଥିବା ଦେଖାଯାଇଛି । ତେବେ ଆଗାମୀ ୧୨ ତାରିଖରେ ପାଞ୍ଚ ଶମ୍ଭୁଙ୍କ ମିଳନ କାର୍ଯ୍ୟକ୍ରମ ମ. ରାମପୁର ବସ୍‌ଷ୍ଟାଣ୍ଡଠାରେ ହେବା ନେଇ ପ୍ରସ୍ତୁତି ଜୋର୍ ଧରିଛି । ତତ୍ ପାଶ୍ଚାତ ୧୩ ତାରିଖରେ ମେରୁ ପୂଜା ସହ, ୧୪ ତାରିଖରେ ପଣା ସଂକ୍ରାନ୍ତି ପାଳନ ପୂର୍ବକ ଏହି ଯାତ୍ରା ସମାପନ ହେବ ।

Leave A Reply

Your email address will not be published.