ହାଟପଦାପଡାରେ ହେବ କଲ୍ୟାଣ ମଣ୍ଡପ : ଡବ୍ଲୁଓଡିସି ଅଧ୍ୟକ୍ଷ

ଟିଟିଲାଗଡ, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ସଇଁତଲା ଗସ୍ତ ସମୟରେ ଟିଟିଲାଗଡ ହାଟପଦାପଡାର ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ହାଟପଦାପଡାର ଡ୍ରେନେଜ୍‌ ସମସ୍ୟା, ପରିବା ବିକାଳିଙ୍କ ଥଇଥାନ ସହ ରାସ୍ତାଘାଟ ସମସ୍ୟା ଆଦି ଉଠାଇ ସମାଧାନ ଦିଗରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସବୁ ଶୁଣିବା ପରେ ସମାଧାନ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବେ ବୋଲି କହିଥିଲେ । ଆଲୋଚନା ପ୍ରସଙ୍ଗରେ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିବା ହାଟପଦାପଡାରେ ଏକ କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପାଇଁ ସରକାର ମଞ୍ଜୁର କରିସାରିଥିବା ଶ୍ରୀ ତ୍ରିପାଠୀ ପ୍ରତିନିଧି ମଣ୍ଡଳୀଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ । କାଉନସିଲର ସୁନୀଲ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳୀରେ ପ୍ରଶାନ୍ତ ଷଡଙ୍ଗୀ, ହରି ମିଶ୍ର, ସୂର୍ଯ୍ୟ ଚୌଧୂରୀ, ସଚ୍ଚିକାନ୍ତ ରଥ, ପୂର୍ଣ୍ଣ ମହାନ୍ତି, ଟୁନିଆ ପାଣିଗ୍ରାହୀ, ସୀତାକାନ୍ତ ରଥ, ସୁଧୀର ଆଚାର୍ଯ୍ୟ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

error: Content is protected !!