ରାମଲୀଳା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ନଅଗାଁ ଖ ଗ୍ରାମରେ ଗତକାଲି ସନ୍ଧ୍ୟା ସମୟରେ ପାରମ୍ପରିକ ରାମଲୀଳା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ । ଖୋଳ କୁବ୍ଜା ବଜାଇ ଶୁଭ କଳସକୁ ମୁଣ୍ଡରେ ବୋହି ସେମାନେ ଗ୍ରାମ ପରିକ୍ରମା କରିଥିଲେ । ପ୍ରକାଶ ଥାଉକି ଏହି ଗ୍ରାମରେ ୧୯୫୩ ମସିହାରୁ ପାରମ୍ପରିକ ଭାବେ ଏହି ପ୍ରଥା ଚାଲିଆସିଛି । କଳସର ସ୍ଥାପନା ହେବା ପରେ ଗ୍ରାମର କେହି ମଧ୍ୟ ଆମିଷ ଭକ୍ଷଣ କରନ୍ତି ନାହିଁ । ଲୋକେ କହନ୍ତି ଯେ, ଆମିଷ ଖାଇଲେ ହନୁମାନ ରାଗି ଯାଆନ୍ତି । ବହୁ ବର୍ଷ ପୂର୍ବେ ଜଣେ ଆମିଷ ଖାଇଥିଲା ଫଳରେ ଗାଁ ସାରା ନିଆଁ ଲାଗି ଜଳି ଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି ।

ଏହି ରାମଲୀଳାରେ ସଭାପତି ଭାବେ ନବୀନ ବିଶ୍ଵାଳ, ସମ୍ପାଦକ ଭାବେ ନରସିଂହ ସାହୁ, ସେକ୍ରେଟାରୀ ଭାବେ ସଦାନନ୍ଦ ପଶାୟତ ଦାୟିତ୍ୱ ତୁଳାଉଥିବା ବେଳେ ଗୋପୀନାଥ ଦୀପ, ରେଡିଓ ଭୋଇ, ବିନୟ ବିଶ୍ଵାଳ ନାଟ୍ୟ ପରିଚାଳନା କରୁଛନ୍ତି । ଏଥିରେ ରାମ ଭୂମିକାରେ ରବୀନ୍ଦ୍ର ମେହେର, ଲକ୍ଷ୍ମଣ ଭୂମିକାରେ ରହିତ ସାହୁ, ସୀତା ଭୂମିକାରେ ଅମିର ସାହୁ, ଦଶରଥ ଭୂମିକାରେ ବିଘ୍ନରାଜ ସାହୁ, ଭରତ ଭୂମିକାରେ ନିମେଇ ବିଶ୍ଵାଳ, ଶତ୍ରୁଘ୍ନ ଭୂମିକାରେ ସମୟ ସେଠ୍ ଅଭିନୟ କରୁଛନ୍ତି । ଏହି ଅବସରରେ ପ୍ରତ୍ୟେକ ଦିନ ରାମଙ୍କ ଚରିତ ଉପରେ ଆଧାରିତ ରାମଲୀଳା ପରିବେଷଣ ହୁଏ । ରାମଲୀଳା ଦେଖିବା ପାଇଁ ଏଠାରେ ଆଖପାଖ ଗ୍ରାମରୁ ଦର୍ଶକମାନଙ୍କର ବେଶ ଭିଡ଼ ଜମିଥାଏ ।

Leave A Reply

Your email address will not be published.

error: Content is protected !!