jayashree

ଚିନ୍ମୟ ବିଦ୍ୟାଳୟରେ ଦ୍ୱିଦିବସୀୟ ବିଜ୍ଞାନ ଓ କଳା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଦ୍ୱିଦିବସୀୟ ବିଜ୍ଞାନ ଓ କଳା ଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ନୀଳଶୈଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ପି. କେ. ନନ୍ଦ ଓ ଅତିଥି ଭାବେ ଦିଲ୍ଲୀ ପବ୍ଲିକ ସ୍କୁଲର ପ୍ରାକ୍ତନ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ଶାନ୍ତା ମଜୁମଦାର ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଆଭ୍ୟନ୍ତରୀଣ ପ୍ରତିଭାକୁ ବିକଶିତ କରିବା ଦିଗରେ ସାହାଯ୍ୟ କରିବ ବୋଲି ମତ ରଖିଥିଲେ । ଏହି ଉତ୍ସବରେ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଆର୍ଟ ଏବଂ କ୍ରାଫ୍ଟ ବିଭାଗରେ ପ୍ରାୟ ୩ ହଜାର, ବିଜ୍ଞାନରେ ୧୪୩, ଗଣିତରେ ୧୪୦, କୁତ୍ରିମ ବୁଦ୍ଧିମତାରେ ୧୭, ଇତିହାସ ଓ ଭୁଗୋଳରେ ୪୭ ତଥା ସାଲାଡ଼ ଓ ପୁଷ୍ପ ପ୍ରଦର୍ଶନୀରେ ୪୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରଦର୍ଶନୀର ପ୍ରତିଯୋଗିତାରେ ବିଚାରକ ଭାବେ ଅର୍ଦ୍ଧେନ୍ଦୁ ଷଡ଼ଙ୍ଗୀ, ଅରବିନ୍ଦ ଦାସ, ଡ. ଦୀପକ ଦାସ, ଭାସ୍କର ରାଉତ, ସୁରେନ୍ଦ୍ର ଲେଙ୍କା, ଅମିତ ମିଶ୍ର ପ୍ରମୁଖ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ । ଛାତ୍ରଛାତ୍ରୀ ମାନେ ବିନ୍ଧ୍ୟ, ହିମାଚଳ, ଯମୁନା, ଗଙ୍ଗା ବିଭାଗରେ ବିଭକ୍ତ ହୋଇ ନିଜ କ୍ର୍ରୁପର ଶ୍ରେଷ୍ଠକୁ ପ୍ରମାଣିତ କରିବା ପାଇଁ ଉଦ୍ୟମ ଯାହା ଅଭିଭାବକ ଓ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଶିକ୍ଷୟିତ୍ରୀ ରୀନା ଚକ୍ରବର୍ତ୍ତୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶିକ୍ଷାବିତ୍‌ ଶଙ୍କର ପ୍ରସାଦ ତ୍ରିପାଠୀ, ସମ୍ପାଦକ ରମାକାନ୍ତ ପଣ୍ଡା, ବରିଷ୍ଠ ଶିକ୍ଷକ ଆଲୋକ ରଞ୍ଜନ ମଲ୍ଲିକ ଓ ସଦସ୍ୟ ସୁବ୍ରତ ମହାପାତ୍ର ପ୍ରମୁଖଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ପ୍ରଦର୍ଶନୀ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ଡ଼ିସେମ୍ବର ମାସରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ରକ୍ରମରେ ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ସନ୍ତୋଷ ପ୍ରକାଶ କରିବା ସହ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସୃଜନଶୀଳତା ଓ ମାନସିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବ ବୋଲି ମତ ରଖିଥିଲେ ।

Leave A Reply

Your email address will not be published.