ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ନୃତ୍ୟାନୁଷ୍ଠାନ ପକ୍ଷରୁ ଦ୍ୱିଦିବସୀୟ ଆଜା ନାଚଲେ କାର୍ଯ୍ୟକ୍ରମ ସ୍ଥାନୀୟ ଭଞ୍ଜଭବନ ଅଡିଟୋରିୟମ ଠାରେ ଆରମ୍ଭ ହୋଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଆଲୋକ କୁମାର ଜେନା, ସଭାପତି ବିଜୟ ମୁଖୀ ଓ ସମ୍ପାଦକ ଶିବାନୀ ରାଣାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବିନ୍ଦ୍ର କୁମାର ଜେନା ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ କଳାଭୂମି ଡ୍ୟାନ୍ସ ଏକାଡେମୀର ପ୍ରତିଷ୍ଠାତା ସୁଚିସ୍ମିତା ବିଶ୍ୱାସ, ଆସ୍ଥାର ସଭାପତି ବିଷ୍ଣୁ ମୋହନ ମିଶ୍ର, ସେଲିବ୍ରେଟି ବିଚାରକ ରୋଜା ରାଣା ଓ ସ୍ୱତନ୍ତ୍ର ବିଚାରକ ଭାବେ ସୁସ୍ମିତା ତମଙ୍ଗ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଠାରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀ ମାନଙ୍କ ଆଭ୍ୟନ୍ତରୀଣ ପ୍ରତିଭାକୁ ଲୋକଲୋଚନରେ ଆଣିବା ପାଇଁ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଯେ, ସମ୍ପ୍ରତି ବଲିଉଡରେ ସହକାରୀ ନୃତ୍ୟ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟରତ ରୋଜା ରାଣାଙ୍କ ଆଭିମୁଖ୍ୟ ଅନୁଯାୟୀ ଚଳିତ ଥର ଅନୁଷ୍ଠାନ ତରଫରୁ ଏକ ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗୀତା ଆୟୋଜନ କରାଯାଉଛି । ଏହି ନୃତ୍ୟ ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ୫୦, ବରିଷ୍ଠ ବିଭାଗରେ ୩୦, ସବ ଜୁନିଅରରେ ୨୫, କନିଷ୍ଠ ଗୃପ୍ ଡ୍ୟାନ୍ସରେ ୨୫ ତଥା ବରିଷ୍ଠ ଗୃପ୍ ଡ୍ୟାନ୍ସରେ ୧୫ଟି ଦଳ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟା ଅଧିବେଶନରେ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ସ୍ୱାଇଁ ଓ ନିର୍ଦ୍ଦେଶକ ଆଲୋକ ଜେନା ନୃତ୍ୟଗୁରୁ ଓ ନୃତ୍ୟାଙ୍ଗନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦୀପିକା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ସମ୍ପାଦକ ସ୍ମୃତିରଞ୍ଜନ ନାୟକ, ସସ୍ମିତା ଜେନା, ଟୁନା ଗଉଡ, ସୂରଜ ତନ୍ତି, ହରେନ୍ଦ୍ର ନାୟକ, ସୋମେଶ୍ଵରୀ ନାୟକ, ବିଭୁତି ଭୂଷଣ ସେଠୀ , ମନୀଷା ଜେନା, ମନୋରମା ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ।