ସାହିତ୍ୟ ସୃଜନୀ ସମାରୋହ କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ରାସ୍ଥିତ ବିଜାଡିହି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆବାହକ କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଷମା ଏଇଣ୍ଡ ତାଙ୍କର ସଭାପତିତ୍ୱ ଅଭିଭାଷଣରେ କହିଲେ ବିଶ୍ରା ଭଳି ଏକ ଉପାନ୍ତ ଅଞ୍ଚଞ୍ଚଳରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଘୋର୍ ଶଙ୍କଟ ଦେଇ ଗତି କରୁଥିଲା ବେଳେ ରାଉରକେଲା ସାହିତ୍ୟ ସଂସଦର ଏପରି ଉତ୍ସର୍ଗୀକୃତ କାର୍ଯ୍ୟ ବେଶ୍ ପ୍ରଶଂସନୀୟ । ପିଲାମାନଙ୍କ ମଧ୍ୟରେ ଆମ ସଂସ୍କୃତିର ମାହାତ୍ମକୁ ନେଇ ଆଦାନ ପ୍ରଦାନ ଆମ ପର୍ବପର୍ବାଣୀକୁ ଋଦ୍ଧିମନ୍ତ କରିବ । ସାହିତ୍ୟ ସଂସଦର ସଭାପତି ବିଜୟ କୁମାର ସାହୁ ତାଙ୍କ ଭାଷଣରେ ବୈକୁଣ୍ଠ ଚତୁର୍ଦ୍ଦଶୀ ଓ ବଡ ଓଷା ବିଷୟରେ କହିବାକୁ ଯାଇ କହିିଥିଲେ “ମାସାନାଂ କାର୍ତ୍ତିକ ଶ୍ରେଷ୍ଠ ଦେବାନାଂ ମଧୁସୂଦନଃ” ଏଥିରୁ ଜଣାପଣେ କାର୍ତ୍ତିକ ଏକ ପବିତ୍ର ପୂଣ୍ୟମୟୀ ମାସ । ଏଇମାସ ଏକାଧାରାରେ ଶିବ, ଶକ୍ତି, ପିତୃ, ମାତ୍ୟ, ଭ୍ରାତୃ, ନାଗ, ଧନ୍ୱନ୍ତରୀ ଓ ଶ୍ରୀବିଷ୍ଣୁଙ୍କର ଏକ ପ୍ରିୟ ମାସ । ଏହି ମାସରେ ବିଷ୍ଣୁ କ୍ଷୀର ସାଗରରେ ଯୋଗ ନିଦ୍ରାରେ ଶୟନ କରିଥାନ୍ତି । କାର୍ତ୍ତିକ ମାସରେ ଶଙ୍ଖାସୁର ଦ୍ୱାରା ଚୋରି ହୋଇଥିବା ବେଦ ଶ୍ରୀବିଷ୍ଣୁଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା । ମହାଦେବ ଶିବଙ୍କ ପୁତ୍ର କାର୍ତ୍ତିକେୟ ଏମାସରେ ଦେବଦାନବ ଯୁଦ୍ଧରେ ବିଯୟ ଲାଭ କରିଥିଲେ, ଏହି ଭଳି ଅନେକ ପୌରାଣିକ ଗପ ପିଲାମାନଙ୍କୁ ଶୁଣାଇଥିଲେ । ବରେଣ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବାରିକ ପିଲାମାନଙ୍କୁ ବ୍ୟାକରଣ ଓ ଓଡିଆ ଭାଷା ସାହିତ୍ୟରେ ତା’ର ପ୍ରୟୋଗ କିପରି କରାଯିବ, ସେ ସମ୍ବଦ୍ଧରେ ପିଲାମାନଙ୍କୁ ବୁଝାଇଥିଲେ । ଆବାହକ କବି ସୁଶାନ୍ତ କୁମାର ନାୟକ ପିଲାମାନଙ୍କ ମଧ୍ୟରେ ଆମ ଭାଷା ସାହିତ ଓ ସଂସ୍କୃତିକୁ ନେଇ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଇଥିଲେ । କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ମାସ ୧୫ ତାରିଖରେ ହେବାକୁଥିବା ଶିଶୁ ମହୋତ୍ସବରେ ପୁରସ୍କୃତ କରାଯିବ । ଶେଷରେ ଶିକ୍ଷକ କେଶବ ଗଡତିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଉର୍ମିଳା ଏକ୍କା, ଲୁମେବଶ୍ୱରୀ ନାଗ, ଆରତି ଶାସିନୀ, ରୋସନ୍ ସୁଗ୍ୟାନି, ବିଶ୍ୱଜିତ୍ ସାହୁ, ମମତା ଚୌଧୁରୀ ସଂଯୁକ୍ତା ଜେନା ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।