ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ସେକ୍ଟର ୨୨ ସୋନାପର୍ବତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କିଶୋରୀ ବାଳିକାଙ୍କ ନିମନ୍ତେ ଏକ ମହିଳା ସଶକ୍ତିକରଣ, ସମାନତା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ୍‌ ପ୍ରଶାନ୍ତ ରଞ୍ଜନ ପାତ୍ର ଓ ସମ୍ପାଦକ ରୋଟାରୀଆନ୍‌ ବସନ୍ତ କୁମାର ତନ୍ତୀଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁପ୍ରଭାତ କୁମାର ବେହେରା ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପରେ ଏହି କାର୍ଯ୍ୟକ୍ରମରେ ବକ୍ତା ଦ୍ୱୟ ରୋଟାରୀଆନ୍‌ ଡ. ମୀନତି ପଣ୍ଡା ଓ ଏସ୍‌ଓଏସ୍‌ ଗ୍ରାମର ପ୍ରାକ୍ତନ ପ୍ରୋଜେକ୍ଟ ନିର୍ଦ୍ଦେଶକ ବିଜୟଲକ୍ଷ୍ମୀ ତ୍ରିପାଠୀ ଛାତ୍ରୀ ମାନଙ୍କୁ କୈଶୋର ଅବସ୍ଥାର ବିଭିନ୍ନ ସମସ୍ୟା, ପୁଅଝିଅଙ୍କ ମଧ୍ୟରେ ସମାନତା, ମହିଳାଙ୍କ ସଶକ୍ତିକରଣ, ସର୍ବୋପରି ସୁସ୍ଥ ଓ ସ୍ୱଚ୍ଛତାକୁ ଗୁରୁତ୍ୱାରୋପ କରିବା ସହ ନିଜ ଉପରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ଦିଗରେ ବକ୍ତବ୍ୟ ଓ ପ୍ରୋତ୍ସାହିତ କରିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ପ୍ରାୟ ୧୫୦ରୁ ଅଧିକ ଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍‌ ଉତ୍ତର ଦେଇଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ସଭାପତି ରୋଟାରୀଆନ୍‌ ଶ୍ରୀ ପାତ୍ର ଅତିଥି ମାନଙ୍କ ପରିଚୟ ଓ ରୋଟାରୀ କ୍ଲବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ସମ୍ପାଦକ ରୋଟାରିଆନ୍‌ ଶ୍ରୀ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରୋଟାରୀଆନ୍‌ ଇଂ ଅଜିତ ମୋହନ ପୂଜାରୀ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ସଂଗୀତ ପରିବେଷଣ କରିଥିଲେ । ଏହାପରେ ଛାତ୍ରୀ ମାନଙ୍କ ମଧ୍ୟରେ ବିସ୍କୁଟ୍‌, ଚକୋଲେଟ୍‌ ସହ ସାନିଟାରୀ ନାପକିନ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ୍‌ ଡ. ସଞ୍ଜୁକ୍ତା ପତି, ରୋଟାରୀଆନ୍‌ ଅନିତା ନାୟକ, ରୋଟାରୀଆନ୍‌ ସବିତା ମହାନ୍ତି ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.