ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜୈବିକ ଓ ପ୍ରାକୃତିକ କୃଷି କେନ୍ଦ୍ର (ଆର୍ସିଓଏନ୍ଏଫ୍) ପକ୍ଷରୁ ୩ଟି ଜିଲ୍ଲା ଖୋର୍ଦ୍ଧା, କଟକ ଓ ପୁରୀର କୃଷି ବିଭାଗ ଅଧିକାରୀଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଦିବସରେ ରାଜ୍ୟରେ ଜୈବିକ ଓ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଆର୍ସିଓଏନ୍ଏଫ୍ର ଭୂମିକା ଏବଂ ଜୈବିକ ଫସଲ ଉତ୍ପାଦନରେ ଗୁଣାତ୍ମକ ଜୈବିକ ଇନପୁଟ୍ କିପରି ଭୂମିକା ଗ୍ରହଣ କରିଥାଏ ସେ ସମ୍ପର୍କରେ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଏସ୍. ଆର୍ ଇଙ୍ଗଲେ୍ ସୂଚନା ଦେଇଥିଲେ । ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ଜୈବିକ ସାମଗ୍ରୀର ପରୀକ୍ଷଣ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଉପରେ ପ୍ରୟୋଗାତ୍ମକ ତାଲିମ ସହିତ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରି ଜୈବିକ ଓ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରୁଛି । ଜୈବିକ ଚାଷକୁ ଆପଣେଇବା ପାଇଁ ଓଡ଼ିଶାର ଜନସାଂଖ୍ୟିକ ସ୍ଥିତି ଅତ୍ୟନ୍ତ ଅନୁକୂଳ । ଯୁଗ୍ମ ନିର୍ଦ୍ଦେଶକ (କ୍ୟୁସି ଆଣ୍ଡ ଇ) ବସନ୍ତ କୁମାର ଦେ ଓଡ଼ିଶାରେ ଜୈବିକ ଓ ପ୍ରାକୃତିକ କୃଷିର ଗୁଣାତ୍ମକ ଦିଗ ଏବଂ ପ୍ରୋତ୍ସାହନର ଯୋଜନା ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ । ଜୈବିକ କୃଷିରେ ଜୈବିକ ଓ ଜୈବ ସାର ପରୀକ୍ଷା ଏବଂ ବ୍ୟବହାରର ନିୟମ ତଥା ଗୁରୁତ୍ୱ ସମ୍ପର୍କରେ ରାଜ୍ୟ ଜୈବ ରସାୟନବିତ୍ ଶ୍ରୀ ଜେନାମଣି ବିବି ବିସ୍ତୃତ ଭାବେ ସୂଚନା ଦେଇଥିଲେ । ଏହି ଅବସରରେ ବୈଜ୍ଞାନିକ ଅଧିକାରୀ ବିନୟ ଏମ୍. ଆର୍, ଡ. ଜୟନ୍ତ ରମଣ, ଧନେଶ ଶର୍ମା, ସୁମନ କୌର ପ୍ରମୁଖ ଉପସ୍ଥିତ ଥିଲେ ।