ଅଭିମାନ

  • ରତ୍ନମୟ ତ୍ରିପାଠୀ

ତୋର ଫେରିବାର ବାଟରେ
ନ ଥିଲା କିଛି
ସର୍ତ୍ତ ର ବନ୍ଧନୀ
ବନ୍ଦ ନ ଥିଲା ବାଟର କବାଟ,
ମନା ନ ଥିଲା
ବାତାୟନ ଦେଇ ସଞ୍ଚରିଯିବାକୁ
ସ୍ନେହ ର ସୁଗନ୍ଧ ହୋଇ ।

ଉଠାଇ ଥିବା ହାତ ପ୍ରତିବଦଳରେ
ହାତଯୋଡ଼ି ଲିଭେଇ ପାରିଥାନ୍ତୁ
ଛାତି ତଳର ଦାଗ,
ସ୍ମିତହସ ଟିଏ ଦେଇ
ସ୍ମୃତି ସବୁକୁ
ସାଇତି ରଖି ପାରିଥାନ୍ତୁ
ମନରେ ସଜେଇ ।

ଚାରିକାନ୍ଥ ଯୋଡି
ଘର ନୁହେଁ ରେ…..
ତିଆରି କରିହୁଏ ସୁନ୍ଦର କୋଠରି,
ତୁ ଯୋଡ଼ି ପାରିଥାନ୍ତୁ ମନର ଫାଟ
ଗଢି ପାରିଥାନ୍ତୁ ପ୍ରେମର ଘର
ଫୁଟି ପାରିଥାନ୍ତୁ ଅଗଣାରେ
ଶ୍ରଦ୍ଧାର ଫୁଲଟିଏ ହୋଇ ।

ଭୋକ ମେଣ୍ଟେଇବାକୁ
ଜରୁରୀ ନୁହେଁ
ବାଛିନେବା ଆମେ ନିଜର ଭାଗ,
ଏକାଠି ଖାଇଲେ ହିଁ
ବୁଝିହୁଏ ଭୋକ
ପୁରିଯାଏ ପେଟ
ନିଜ ଭାତ ଅନ୍ୟମୁହେଁ ଦେଇ ।

ତୁ ଥରୁଟିଏ ଫେରାଇଥାନ୍ତୁ ପାଦ
ବୁଲି ଚାହିଁଥାନ୍ତୁ
ଗଢିଥାନ୍ତୁ ହାତଯୋଡ଼ି ଘର,
ସବୁ ଅଭିମାନ ଭୁଲି
ଆଦରି ନେଇଥାନ୍ତି ତୋତେ
ଅଧରାତି ର ଦୁଃସ୍ବପ୍ନ ପରି
ସକାଳ କୁ ସବୁ ଭୁଲିଯାଇ ।।

  • ଅଧ୍ୟୟନ, ବଲାଙ୍ଗୀର
  • ଅଧ୍ୟୟନ, ବଲାଙ୍ଗୀର
Leave A Reply

Your email address will not be published.