om academy

ଦିଲ୍ଲୀରେ କବିସନ୍ଧି କାର୍ଯ୍ୟକ୍ରମରେ ପ୍ରତିଭା ଶତପଥୀଙ୍କ କବିତା ପାଠ

jsm
  • ମୋର କବିତାଗୁଡ଼ିକ ଶବ୍ଦରେ ପ୍ରକାଶିତ ଲୁହର ବୁନ୍ଦା – ପ୍ରତିଭା ଶତପଥୀ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ମୋର କବିତା ନିଜସ୍ୱ ଅନୁଭୂତି, ଆନନ୍ଦ – ବିଷାଦ ତଥା ସମାଜର ବିକୃତ ବାସ୍ତବତାକୁ ପ୍ରତିଫଳିତ କରେ । ମୋର କବିତାଗୁଡ଼ିକ ଶବ୍ଦରେ ପ୍ରକାଶିତ ଲୁହର ବୁନ୍ଦା ପରି ମନେହୁଏ । ସେଗୁଡ଼ିକ କ୍ରମାଗତ ପରିବର୍ତ୍ତନର ପ୍ରତୀକ ପରି । ପ୍ରତ୍ୟେକ କବିଙ୍କ ପରି ମୋ ପାଇଁ ମଧ୍ୟ କବିତା ଏକ ଅନ୍ତହୀନ ପ୍ରୟାସ । ମୋ କବିତା ମାଧ୍ୟମରେ ମୁଁ ପୃଥିବୀ ସହିତ ସଂଯୁକ୍ତ ବୋଲି ଅନୁଭବ କରେ । ନୂଆଦିଲ୍ଲୀରେ ଆଜି ସନ୍ଧ୍ୟାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କବିସନ୍ଧି କାର୍ଯ୍ୟକ୍ରମରେ ଅତିଥି କବି ଭାବେ ଯୋଗଦେଇ ଏଭଳି ଭାବଭରା ବକ୍ତବ୍ୟ ରଖିଛନ୍ତି ବିଶିଷ୍ଟ ଓଡ଼ିଆ କବି ପ୍ରତିଭା ଶତପଥୀ । ସ୍ୱରଚିତ କବିତା ପାଠ ପୂର୍ବକ ନିଜ କାବ୍ୟ ଯାତ୍ରାର ଅନ୍ତରଙ୍ଗ ଅନୁଭୂତି ଗୁଡ଼ିକୁ ମନୋଲୋଭା ଶବ୍ଦ ମାଧ୍ୟମରେ ପ୍ରକାଶ କରି ସେ ଉପସ୍ଥିତ ଶ୍ରୋତାଙ୍କୁ ବିମୁଗ୍ଧ କରିଥିଲେ । ସେ କହିଥିଲେ, କବିତା ସହିତ ମୋର ଦୀର୍ଘ ଦିନର ସମ୍ପର୍କ । ପିଲାଦିନରେ ପ୍ରକୃତି ପ୍ରତି ମୋର ଭଲପାଇବା ହେତୁ ମୁଁ କବିତା ଲେଖିପାରିଛି । ପରବର୍ତ୍ତୀ କାଳରେ ସାରଳା ଦାସଙ୍କ ପରି ବହୁ ପ୍ରସିଦ୍ଧ କବି ଓ ଲେଖକଙ୍କ କୃତି ପଢ଼ି ମୋର କବିତା ମାର୍ଜିତ ହୋଇଛି । ସେ ତାଙ୍କର କେତେକ କବିତା ମୂଳ ଓଡିଆରେ ପାଠ କରିବା ସହିତ କେତେକ କବିତାର ହିନ୍ଦୀ ଏବଂ ଇଂରାଜୀ ଅନୁବାଦ ଶୁଣାଇଥିଲେ । ଇଂରାଜୀରେ ଅନୁଦିତ କବିତାର ଶିରୋନାମା ଥିଲା – ‘ଜଷ୍ଟ ଲାଇକ୍ ଆର୍ଥ’ ଏବଂ ‘ନୋ ୱାର୍ଡ୍ସ ଇନ୍‌ ପର୍ଟିକୁଲାର’ ଇତ୍ୟାଦି । କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ଲୀଲାଧର ମାଣ୍ଡଲୋଇ, ରାଜେନ୍ଦ୍ର ପ୍ରସାଦ ମିଶ୍ର ଓ ପରମିତା ଶତପଥୀ ତାଙ୍କ କବିତାର ହିନ୍ଦୀ ଅନୁବାଦ ଏବଂ ଯଶୋଧାରା ମିଶ୍ର ଓ ବି. ଭୁମା ଇଂରାଜୀ ଅନୁବାଦ ପାଠ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ, ଶ୍ରୀମତୀ ଶତପଥୀଙ୍କୁ ଅଙ୍ଗବସ୍ତ୍ର ଏବଂ ସାହିତ୍ୟଏକାଡେମୀ ପ୍ରକାଶିତ ପୁସ୍ତକ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁରେଶ ଋତୁପର୍ଣ୍ଣା, ଦିବିକ୍ ରମେଶ, ଗିରିଶ୍ୱର ମିଶ୍ର, ଲକ୍ଷ୍ମୀ କନ୍ନନ୍ ଏବଂ ସୁମନ୍ୟୁ ଶତପଥୀ ପ୍ରମୁଖ ସୁପରିଚିତ ହିନ୍ଦୀ ଓ ଓଡ଼ିଆ ଲେଖକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂଯୋଜନା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଏକାଡେମୀର ଉପସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ ।

Leave A Reply

Your email address will not be published.