
ତରଭା, (କେପିଏନ୍ଏସ୍) : ସ୍ଥାନୀୟ ଏନ୍.ଏ.ସି. ପାଠାଗାରଠାରେ ଭାଷା ସାହିତ୍ୟର ଅଗ୍ରଣୀ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ବିଷୁବ ସଂକ୍ରାନ୍ତି ଅବସରରେ ଆଲୋଚନା ଚକ୍ର ଓ କୋଶଲୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଯୁବ ସାହିତ୍ୟିକ ସଞ୍ଜୀବ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଭାଷାପ୍ରେମୀ ପ୍ରଦୀପ ମାହାଣା ମୁଖ୍ୟ ଅତିଥି, ସାହିତ୍ୟିକ ନିରଞ୍ଜନ ପଣ୍ଡା ମୁଖ୍ୟବକ୍ତା ତଥା ଡ଼. ଯୁଧିଷ୍ଠିର ଖମାରୀ ଓ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ପ୍ରସନ୍ନ ସାମନ୍ତରାୟ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । କୋଶଲୀ ଭାଷାକୁ ମାତୃଭାଷା ରୂପେ ପ୍ରାଥମିକ ଶିକ୍ଷାରେ ପ୍ରଚଳନ ସାଙ୍ଗେ ସାଙ୍ଗେ ସାମାଜିକ ଏଵଂ ପ୍ରଶାସନିକ କାର୍ଯ୍ୟକଳାପରେ ମାତୃଭାଷାର ବହୁଳ ବ୍ୟବହାର ନିମନ୍ତେ ଅତିଥିଗଣ ମତବ୍ୟକ୍ତ କରିଥିଲେ । ଏକାଡେମୀର ସଭାପତି ଡ଼. ଦେବେନ୍ଦ୍ର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଯୁବ କବି ହିରଣ୍ମୟ ପଟ୍ଟନାୟକଙ୍କ ସଂଯୋଜନାରେ କୋଶଲୀ କବିତା ଆସର ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମରେ ଡ଼. ବନବାସ ମେହେର, ପ୍ରଜ୍ଞାପ୍ରାଣ ଲୋକନାଥ ଦଳବେହେରା, ଶୁଭମ୍ ମିଶ୍ର, ତ୍ରିଲୋଚନ ଦଳବେହେରା, ତିଳୋତ୍ତମା ସାହୁ, ରୋଶନ ସାହୁ, ନୀଳକାନ୍ତି ପଟ୍ଟନାୟକ, ସୁଦାମ ପୁଟେଲ, ମାହେଶ୍ୱରୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । କବିତା ଆସରରେ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇ ପଣା ପାଣିରେ ଆପ୍ୟାୟିତ କରାଯାଇଥିଲା । ଏଥିରେ ସୁବର୍ଣ୍ଣପୁର ସମେତ ବଲାଙ୍ଗିର, ବରଗଡ଼ ଓ ବୌଦ୍ଧ ପ୍ରଭୃତି ଜିଲ୍ଲାରୁ ୬୦ରୁ ଅଧିକ କବି କବୟିତ୍ରୀ ସ୍ୱରଚିତ କୋଶଲୀ କବିତା ଆବୃତ୍ତି କରିଥିଲେ ।