
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ସ୍ୱେଛାକୃତ ରକ୍ତଦାନ କରି ଅନ୍ୟକୁ ଜୀବନ ଦାନ କରିବା ଏବଂ ରାଜ୍ୟରେ ରକ୍ତଦାନ ଆନ୍ଦୋଳନକୁ ସଫଳ କରିବା ପାଇଁ ମଙ୍ଗଳବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଏହା ସହ ସମସ୍ତ ସ୍ୱେଛାକୃତ ରକ୍ତଦାତା ମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ବେହେରା ଶୁଭେଚ୍ଛା ଜଣାଇଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଶିବିରର ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଭଞ୍ଜନଗର ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପାଢୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ପ୍ରମୁଖ ମଞ୍ଚାସୀନ ରହି ରକ୍ତଦାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରକ୍ତଦାନ ଜୀବନ ଦାନ । ରକ୍ତ ବିନା ମଣିଷ ବଞ୍ଚିପାରିବ ନାହିଁ । ଆଜି ପର୍ଯ୍ୟନ୍ତ କୃତ୍ରିମ ଉପାୟରେ ରକ୍ତ ତିଆରି କରାଯାଇ ପାରିନାହିଁ । ଏଥି ପାଇଁ ସ୍ୱେଚ୍ଛାକୃତ ରକ୍ତଦାନର ଆବଶ୍ୟକତା ରହିଛି । ଜଣେ ସୁସ୍ଥ ବ୍ୟକ୍ତି ରକ୍ତଦାନ କଲେ ସେହି ରକ୍ତ ଅନ୍ୟ ଜଣେ ବ୍ୟବହାର କରି ବଞ୍ଚିପାରିବ ବୋଲି ଶିବିରରେ ମତ ପ୍ରକାଶ ପାଇଛି । ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବିଭାସ କୁମାର ଦାସ ଶିବିରକୁ ସଂଯୋଜନା କରିଥିଲେ । ଅଧ୍ୟାପକ ବାବୁଲା ପ୍ରଧାନ, ଏନସିସି ଅଫିସର ଲେଫ୍ଟନାଣ୍ଟ ରଜନିକାନ୍ତ ତ୍ରିପାଠୀ, ଲେଫ୍ଟନାଣ୍ଟ ଡ.ରବିନ୍ଦ୍ର କୁମାର ମିଶ୍ର, ବିଦେଶୀ କୁମାର ରାଉତ, ସୁଶାନ୍ତ ବେହେରା, ସିମାଞ୍ଚଳ ବେହେରା, ସୁନିଲ କୁମାର ଦାସ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।