
- ଟ୍ରେନ ଲାଇନରେ ଫିଙ୍ଗିଦେଲେ ମୃତଦେହ
- ମାଳିଶିରା-ରହେନଭଟା ଟ୍ରେନ ଲାଇନ ପାର୍ଶ୍ଵରୁ ବୁଲେଟ ସହ ଉଦ୍ଧାର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା- ରହେନଭଟା ମଧ୍ୟବର୍ତ୍ତି ବିଟାବନ୍ଧ (ନୂଆପଡା) ଗ୍ରାମ ନିକଟ ଟ୍ରେନ ଲାଇନ ୧୯୩/୧୭ ପାଖରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ଜିଆର୍ପି ପୋଲିସ ଉଦ୍ଧାର କରିଥିଲା । ମୃତ ଯୁବକଜଣଙ୍କ ସିନ୍ଧେକେଲା ଥାନା ଠେମରା ଗ୍ରାମର ସ୍ୱର୍ଗତ ରାମବ୍ରିଜ ମହାନନ୍ଦଙ୍କ ବଡ଼ପୁଅ ବୈଷ୍ଣବ ମହାନନ୍ଦ(୨୪) ବୋଲି ଜଣାପଡିଛି । ସେ ମୁହଁ ମାଡ଼ି ପଡ଼ିଥିବା ବେଳେ ଦେହର ବିଭିନ୍ନ ସ୍ଥାନରେ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଚିହ୍ନ ରହିଥିବା ଜଣାପଡିଛି । ଅନଲାଇନରେ ଟଙ୍କା ବେଟିଂ, ସଟ୍ଟା କାରବାର, ସେଆର ମାର୍କେଟ, ଗେମିଂ ଆପ୍, ଶାଦି ଡଟ କମ୍ ଭଳି ବିଭିନ୍ନ ମୋବାଇଲ ଅନଲାଇନ୍ କାରବାରରେ ଲକ୍ଷ ଲକ୍ଷ ଟଙ୍କା ହେର୍ଫେର୍ କିମ୍ବା ଭାଗବଣ୍ଟାକୁ ନେଇ ଦୃର୍ବୃତ୍ତମାନେ ବୈଷ୍ଣବଙ୍କୁ ଡାକି ବିଭତ୍ସ ହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହା ଏକ ସୁପରିକଳ୍ପିତ ହତ୍ୟା ଘଟଣା ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ମୃତ ବୈଷ୍ଣବଙ୍କ ପରିବାର ଗୁରୁତର ଅଭିଯୋଗ କରିଛନ୍ତି । ତାଙ୍କର ଦୁଇଟି ମୋବାଇଲ ମଧ୍ୟ ଘଟଣାସ୍ଥଳରେ ପଡ଼ିରହିଥିଲା । ଘଟଣା ସ୍ଥଳରୁ କିଛି ଦୂରରେ ଅଧା ପିଆଯାଇଥିବା ମଦ ବୋତଲ, ସିଗାରେଟ, ପ୍ଲାଷ୍ଟିକ ଗ୍ଲାସ୍ ଓ ତାଙ୍କର ବୁଲେଟ (ଓଡ଼ି ୦୩ ଏଡି ୭୭୯୨) ମଧ୍ୟ ପଡ଼ିରହିଥିଲା । ଯୁବକଙ୍କୁ ଘଟଣାସ୍ଥଳରେ ହତ୍ୟା କରାଯାଇଥିବା ବେଳେ ତାଙ୍କର ଶରୀରର ବିଭିନ୍ନ ସ୍ଥାନରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ ମଧ୍ୟ କରାଯାଇଛି । ଯାହା ଫଳରେ କି ଯୁବକଙ୍କ ଦେହର କେତେକ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି । ଶନିବାର ସକାଳ ସମୟରେ କିଛି ଲୋକ ଟ୍ରେନ ଲାଇନ ପାର ହୋଇ ସେହି ରାସ୍ତା ଦେଇ ଯାଉଥିବା ବେଳେ ମୃତଦେହଟିକୁ ଦେଖିଥିଲେ । ଯାହା ଫଳରେ କି ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣା ସ୍ଥଳକୁ ଟିଟିଲାଗଡ ଜିଆର୍ପି ପୁଲିସ, ଆର୍ପିଏଫ୍ ସହ ପୁଲିସ ବିଭାଗ ପହଞ୍ଚିଥିଲେ । ମୃତ ବୈଷ୍ଣବଙ୍କ ଭାଇ ପଦ୍ମନ ମହାନନ୍ଦଙ୍କ ଅଭିଯୋଗ ମତେ ମୃତ ବୈଷ୍ଣବ ଶୁକ୍ରବାର ସନ୍ଧ୍ୟାରେ ନିଜ ବୁଲେଟରେ ମୁଁ ଆସୁଛି କହି ଘରୁ ବାହାରିଥିଲେ । ରାତିରେ କିଛି ସମ୍ପର୍କୀୟଙ୍କୁ ସେ ତାଙ୍କୁ ନିସ୍ତୁକ ମାଡ଼ ଓ ଆକ୍ରମଣ କରାଯାଉଥିବା ନେଇ ଫୋନ୍ କରି ଚିତ୍କାର କରୁଥିବାରୁ ସେମାନେ ତାଙ୍କୁ ବହୁ ଖୋଜାଖୋଜି ମଧ୍ୟ କରିଥିଲେ । କିନ୍ତୁ ରାତିରେ ତାଙ୍କର କୌଣସି ପତ୍ତା ମିଳିନଥିବା ବେଳେ ସକାଳୁ ମୃତଦେହ ଘଟଣାସ୍ଥଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ଘଟଣାସ୍ଥଳରେ ମଦ ପିଆଇ ମରଣାନ୍ତକ ଆକ୍ରମଣ କରି ହତ୍ୟା କରାଯାଇଛି ନା ବାହାରେ କେଉଁଠି ହତ୍ୟା କରି ଏହି ଟ୍ରେନ ଲାଇନ ପାର୍ଶ୍ଵରେ ଫିଙ୍ଗା ଯାଇଛି ତାହା ଅଧିକ ତଦନ୍ତ ପରେ ଜଣାପଡିବ । ଘଟଣାସ୍ଥଳକୁ କଣ୍ଟାବାଞ୍ଜି ଏସ୍ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, ଟିଟିଲାଗଡ ପୁଲିସ, ଆର୍ପିଏଫ୍ ପୁଲିସ ଓ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ସହ ପହଞ୍ଚି ତନାଘନା ତଦନ୍ତ କରିଥିଲେ । ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ଜଗଦୀଶ କର୍ତ୍ତାମୀ ଉପସ୍ଥିତ ଥିଲେ । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଅଭିଯୁକ୍ତମାନେ ଏହି ସ୍ଥାନକୁ କାହିଁକି ବାଛିଲେ, ମାଳିଶିରା, ବିଟାବନ୍ଧ ଭଳି ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ଏଥିରେ ସଂପୃକ୍ତି ନାହିଁ ତ, ୪ଟି ମଦ ଗ୍ଲାସ ଥିବାରୁ ଆହୁରି ୩ଜଣରୁ ଅଧିକଙ୍କ ସଂପୃକ୍ତି ଥିବା, ଘଟଣା ସ୍ଥଳରେ କିଛି ଅଜଣା ଯୁବକଙ୍କ ଗତିବିଧି ମଧ୍ୟ ସନ୍ଦେହ ସୃଷ୍ଟି କରୁଥିବା ବେଳେ ମୃତକଙ୍କ ଚାଲିଚଳନ ତଥା ସେ ଅନ୍ୟ କେତେକ ଯୁବକଙ୍କ ସହ କିଛି ଦିନ ତଳେ ଦୁବାଇ ଯାଇ ଫେରିଥିବା ଘଟଣାକୁ ମଧ୍ୟ ତଦନ୍ତ ପରିସରକୁ ଅଣାଗଲେ ଏହି ହତ୍ୟା ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଏ ସମ୍ପର୍କରେ ଟିଟିଲାଗଡ ଜିଆର୍ପି ଥାନାରେ ପ୍ରଥମେ ଏକ ଅପମୃତ୍ୟୁ କେସ ନଂ ୧୫/୨୫ ରୁଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି । ପରିବାର ଲୋକ ଯଦି ହତ୍ୟା ଅଭିଯୋଗ କରନ୍ତି ତାହା ହେଲେ ଏହାକୁ ହତ୍ୟା ମାମଲାରେ ରୂପାନ୍ତରିତ କରାଯିବ, ମୋବାଇଲ ସିଡିଆର୍ ଯାଞ୍ଚ ପାଇଁ ପଠାଯାଇଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ଜିଆର୍ପି ଏସ୍ଆଇ ବିନୟ କୁମାର ଭୋଇ ପ୍ରକାଶ କରିଛନ୍ତି । ଏହି ବିଭତ୍ସ ହତ୍ୟାକାଣ୍ଡଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ବହୁ ଚର୍ଚ୍ଚିତ ହତ୍ୟା ଘଟଣା ଉପରୁ କେବେ ଜିଆର୍ପି ପୁଲିସ ତଥା ବଲାଙ୍ଗିର ପୋଲିସ ପର୍ଦ୍ଦା ହଟାଉଛି ଦେଖିବାକୁ ବାକି ରହିଲା ।