୯ ହଜାର ବୋତଲ କଫ ସିରଫ ସହ ୨ ଗାଡି ଜବତ, ୧ ଯୁବକ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ । ବରଗଡ଼ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲାକୁ ବେଆଇନ ଚାଲାଣ ହେଉଥିବା ବିପୁଳ ପରିମାଣର ୯ ହଜାର ବୋତଲ କଫ ସିରଫ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ୩ ଜଣ ଫେରାର ମାରିବାରେ ସକ୍ଷମ ହୋଇଥିଲେ ଏବଂ ୨ଟି ଚାରି ଚକିଆ ଗାଡି ଜବତ ହୋଇଛି । ୨ଟି ଗାଡ଼ିରେ କଫ ସିରଫ ଚାଲାଣ ହେଉଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ସୁବର୍ଣ୍ଣପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ରାମପୁର ଥାନାର ଏସଆଇ ପ୍ରକାଶ ନନ୍ଦ ପୋଲିସ ଟିମ ସହ ରାସ୍ତା ବ୍ଲକିଂ ସହ ତନାଘନା ଚଲାଇଥିଲେ । ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାହାଜବାହାଲ ଗ୍ରାମ ନିକଟରେ ପୋଲିସ ଗାଡ଼ିକୁ ଠାବ କରିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୋଲେରୋ ପିକଅପ ନଂ ଓଡ଼ି୦୩ ଏବି-୧୭୯୦ ଓ ହୋଣ୍ଡା ସିଭି କାର ନଂ ଓଆର୍‌୧୭ ଏଫ୍‌ ୬୬୬୬ ରୁ ୯ ହଜାର ବୋତଲ କଫ ସିରଫ ଜବତ କରିଥିବା ବେଳେ କଫ ସିରଫ ମାଫିଆ ବରଗଡ଼ ଜିଲ୍ଲା ସତଲମା ଗାଁର ଗୁଲସନ ସାହୁ (୨୪) କୁ ଗିରଫ କରିଛି ଏବଂ ୨ଟି ଗାଡିକୁ ମଧ୍ୟ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ରାମ‌ପୁର ପୋଲିସ । ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଅତିରିକ୍ତ ତହସିଲଦାର ବିଶ୍ୱମ୍ବର ନାଥ ପାଣ୍ଡେଙ୍କ ଉପସ୍ଥିତିରେ ପୋଲିସ ଜବତ କରିଥିବା ଦୁଇଟି ଗାଡ଼ିରୁ ଏହି କଫ ସିରଫ ଜବତ କରାଯାଇଥିବା ସୂଚନା ମିଳିଛି । ରାମପୁର ଥାନା ଆଇଆଇସି ଡୋଳାମଣି ନାଏକ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରି ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ସାମ୍ୱାଦିକ ସମ୍ମିଳନୀରେ ଏସପି ନାରାୟଣ ନାୟକ ଓ ରେଣୁକା ସୁନା ସବିଶେଷ ସୂଚନା ଦେଇଥିଲେ ।

Leave A Reply

Your email address will not be published.