ମନମୁଣ୍ଡା : ବଲାଙ୍ଗିର-ଖୋର୍ଦ୍ଧା ରେଲୱେ ଲାଇନ୍ରେ ପ୍ରଥମ ମୃତ୍ୟୁ । ଶୁକ୍ରବାର ସକାଳେ ମନମୁଣ୍ଡା ଥାନା ପୁରୁଣାପାଣି ରେଳ ଷ୍ଟେସନ ପାଖ ସାନ ଡୁଙ୍ଗୁରିପାଲି ଓଭରବ୍ରିଜ୍ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ଗୋଡ଼ କଟି ଯାଇଛି । ମୃତକ ପୁରୁଣାପାଣି ଗ୍ରାମର ନରେନ୍ଦ୍ର ବେହେରା (୨୫ ବର୍ଷ) ବୋଲି ଜଣାପଡ଼ିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଆଇଆଇସି ଅଞ୍ଜଳି ବିଶ୍ଵାଳଙ୍କ ନିର୍ଦ୍ଦେଶରେ ମନମୁଣ୍ଡା ପୁଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ସୂଚନା ଯୋଗ୍ୟ ଯେକିଛି ଦିନ ତଳେ ଉକ୍ତ ରେଳ ଧାରଣାରେ ଜଣେ ନାବାଳକ ବିପଦସଙ୍କୁଳ ଅବସ୍ଥାରେ ଶୋଇଥିବା ଭିଡିଓ ଭାଇରାଲ୍ ହୋଇଥିଲା । ତା’ ଉପରେ ଟ୍ରେନ୍ ଯାଉଥିବା ଦୃଶ୍ୟ ଚାଞ୍ଚଲ୍ୟ ଖେଳାଇଥିଲା । ଏହି ଅଞ୍ଚଳରେ ପ୍ରଥମ ରେଳପଥ ହୋଇଥିବାରୁ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଥିଲା ।
