ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଭାଲୁଡୁଙ୍ଗରୀ ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ମୃତକ ଜଣକ ହେଲେ ଖପ୍ରାଖୋଲ ଥାନା ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗରି ଗ୍ରାମର ସଦାଶିବ ସ୍ୱାଇଁ (୩୭) । ସୂଚନା ଅନୁସାରେ ଗୁରୁବାର ସକାଳୁ ସଦାଶିବ କୁଆଡେ ଚାଲିଯାଇଥିଲେ, ଘର ଲୋକ ଖୋଜାଖୋଜି କଲା ପରେ ମଧ୍ୟ ତାଙ୍କୁ ଖୋଜି ପାଇନଥିଲେ । ପାଖାପାଖି ଦିନ ୨ଟା ସମୟରେ ମୃତକଙ୍କ ଖୁଡି କପା ଚାଷ କରିଥିବା ଜମିକୁ କାମ କରିବାକୁ ଯିବା ସମୟରେ ଗୋଟିଏ ମହୁଲ ଗଛ ଡାଳରେ ଗୋଟିଏ ଝୁଲନ୍ତା ମୃତଦେହ ଦେଖି ନିକଟରେ ଥିବା ଅନ୍ୟ ଲୋକଙ୍କୁ ଘଟଣାସ୍ଥଳକୁ ଡାକିଥିଲେ । ନିକଟକୁ ଯାଇ ଦେଖିଲା ପରେ ମୃତଦେହଟି ପୁତୁରା ସଦାଶିବଙ୍କ ବୋଲି ଜାଣିପାରିଥିଲେ । ପରିବାରଲୋକ ଘଟଣା ବିଷୟରେ ପୋଲିସକୁ ଖବର କରିଥିବାବେଳେ ଘଟଣାସ୍ଥଳରେ ଖପ୍ରାଖୋଲ ପୋଲିସ ଏଏସ୍ଆଇ ରବୀନ୍ଦ୍ର କୁମ୍ଭାର ପୋଲିସ ଟିମ ସହ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ଏନେଇ ଖପ୍ରାଖୋଲ ଥାନା ୟୁ ଡି କେସ ନଂ ୧୦/୨୦୨୫ରେ ଏକ ଅପମୃତ୍ୟୁ ମାମଲା ୠଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବାବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି । ସୂଚନା ଥାଉକି ମୃତକ ଜଣେ ଟ୍ରାକ୍ଟର ମେକାନିକ ଭାବେ ବଲାଙ୍ଗିର ଠାରେ କାର୍ଯ୍ୟରତ ଥିଲେ । କିଛିଦିନ ହେଲା ସେ ଘରକୁ ଚାଲିଆସିଥିଲେ । ଘରେ ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଏବଂ ସ୍ତ୍ରୀ ଥିବାବେଳେ ବର୍ତ୍ତମାନ ସେମାନେ ଘରର ମୁରବିକୁ ହରାଇ ଅସହାୟ ହୋଇପଡିଛନ୍ତି ।
