ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗନ୍ଧରେଲ ଠାରେ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ୟୁଥ ଅର୍ଗାନାଇଜେସନ (ଏଆଇଡିୟୁଓ) ବଲାଙ୍ଗିର ଜିଲ୍ଲାର ପ୍ରଥମ ଜିଲ୍ଲା ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଏସ୍ୟୁସିଆଇ (ସି) ରାଜ୍ୟ କମିଟି ସଭ୍ୟ କମ୍ରେଡ ଅଶୋକ ମିଶ୍ର, ମୁଖ୍ୟବକ୍ତା ଭାବେ ଏଆଇଡିୱାଇଓ ର ରାଜ୍ୟ ସଭାପତି ବିଜୟାନନ୍ଦ ମଲ୍ଲିକ, ଅନ୍ୟତମ ବକ୍ତା ଭାବରେ ସଂଗଠନର ରାଜ୍ୟ ଉପସଭାପତି ମାନସ ପାଳ ଯୋଗଦେଇ ଉଚ୍ଚ ନୀତି ନୈତିକତା ଓ ମୁଲ୍ୟବୋଧ ଭିତ୍ତିରେ ଯୁବକମାନଙ୍କୁ ସଂଗଠିତ କରି ଆଗାମୀ ଦିନରେ ବ୍ୟାପକ ଯୁବ ଆନ୍ଦୋଳନ ଗଠି ତୋଳିବା ପାଇଁ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ସମସ୍ତ ବେକାରଙ୍କୁ ନିଯୁକ୍ତି ଦେବା, ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ବେକାରୀ ଭତ୍ତା ପ୍ରଦାନ କରିବା, ସରକାରି ଉଦ୍ୟୋଗ ଗୁଡିକର ଘରୋଇକରଣ ବନ୍ଦ କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିପଡିଥିବା ପଦବୀ ଗୁଡିକୁ ଅବିଳମ୍ବେ ପୁରଣ କରିବା, ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବା ଓ ମଦ ମାଦବ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ପାଇଁ ସଂଘ ଦୃଢ ଦାବି କରିଛି । ସମ୍ମିଳନୀର ପ୍ରାରମ୍ଭରେ ସଂଗଠନର ରକ୍ତ ପତାକା ଉତ୍ତୋଳନ ଓ ସହୀଦ ବେଦିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡିୱାଇଓ ର ଜିଲ୍ଲା ସଂଗଠକ ଗିରିଶ ସାଙ୍କ ସଭାପତିତ୍ୱରେ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜନାଇ ଏକ ଶୋକପ୍ରସ୍ତାବ ସଂଗଠକ ବିକାଶ ଜେନା ପାଠ କରିଥିଲେ । ସଂଗଠକ ଅମ୍ଲାନ ମିଶ୍ରଙ୍କୁ ସଭାପତି ଓ ତାମଷ ବେହେରାଙ୍କୁ ସମ୍ପାଦକ କରି ଏକ ୩୧ ଜଣିଆ ଜିଲ୍ଲା କମିଟି ଗଠନ କରାଯାଇଥିଲା । ଏସ୍ୟୁସିଆଇ(ସି) ର ଜିଲ୍ଲା ସାଂଗଠନିକ କମିଟିର ସମ୍ପାଦକ ସୁନିଲ ଭୋଇ ସମ୍ମିଳନୀରେ ଉଦ୍ଘାଟନୀ ବକ୍ତବ୍ୟ ରଖିଥିବା ବେଳେ ସଂଗଠନର ପ୍ରାଣ ପ୍ରତିଷ୍ଠାତା ଶିବଦାସ ଘୋଷଙ୍କ ଉପରେ ରଚିତ ସଂଗୀତ ଗାନ ସହ ସମ୍ମିଳନୀର କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ ।
Prev Post