ଯୁବଦୋୟ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସରେ ରକ୍ତଦାନ ଓ ରନ୍ଧାଖାଦ୍ୟ ବଣ୍ଟନ ସହ ମହାପୁରୁଷ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଯୁବଦୟୋ ପକ୍ଷରୁ ଆଜି ରାଷ୍ଟ୍ରୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ୧୬୩ତମ ଜନ୍ମଜୟନ୍ତୀ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି । ଯୁବଦୟୋର ସଭାପତି ବିଶ୍ୱଜିତ ଜେନାଙ୍କ ନେତୃତ୍ୱରେ ସେକ୍ଟର ୧୭ ସରସ୍ଵତୀ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ ସ୍ୱେଚ୍ଛାସେବୀ ଓ ସ୍ୱେଚ୍ଛାସେବୀକାମାନେ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କରିଥିଲେ । ଯୁବତୀମାନେ ଅଧିକ ସଂଖ୍ୟାରେ ଆସି ପ୍ରଥମ କରି ରକ୍ତଦାନ କରି ବେଶ୍ ଉତ୍ସାହିତ ଥିବାର ଜଣାପଡୁଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲୀର ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ପ୍ରଥମେ ମହାନ ଦାର୍ଶନିକ ତଥା ପ୍ରତି ଯୁବକଙ୍କ ଆଦର୍ଶ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ପରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଯୁବ ସ୍ୱେଚ୍ଛାସେବୀ ଓ ସ୍ୱେଚ୍ଛାସେବୀକାମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ମହତ ଦାନ ତା ଉପରେ ରକ୍ତଦାତାଙ୍କୁ ବାର୍ତ୍ତା ଦେଇ ଯୁବପିଢି ଆଗକୁ ଆସି ରକ୍ତର ଅଭାବ ପୂରଣରେ ପ୍ରମୁଖ ଭୂମିକା ନେବା ପାଇଁ ପରାମର୍ଶ ଦେଇଥିଲେ । ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପରେ ଆଜି ଜାତୀୟ ଯୁବ ଦିବସ ଅବସରରେ ଯୁବଦୋୟ ପକ୍ଷରୁ ସେକ୍ଟର ୧୬ ସ୍ଥିତ ପିଏଣ୍ଡଟି ବସ୍ତିରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଯୁବଦୋୟ ସଂଗଠନର ଅରୁଣ, ଦେବାଶିଷ, ଛୋଟୁ, ତାରିଣୀ, କାଳିଆ, ସୁମିତ, ସୋନାଲିକା, ଦିକ୍ଷିତ, ଉର୍ବଶୀ, ଶୀବାନୀ, ରିପିକା, ସ୍ମୃତି, ପ୍ରିୟଙ୍କା ଓ ସ୍ନେହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଗାମୀ ଦିନରେ ଯୁବଦୋୟ ବିଭିନ୍ନ ସାମାଜିକ କାର୍ଯ୍ୟ ସହ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ତାର କାର୍ଯ୍ୟ ଅବ୍ୟାହତ ରଖିବ ବୋଲି ସଭାପତି ବିଶ୍ୱଜିତ ଜେନା ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.