୧୨ ଜଣ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ : ୧୬ ଲକ୍ଷ ଟଙ୍କା ଓ ମୋବାଇଲ୍‌ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ରୋଡ଼ରେ ଥିବା ହୋଟେଲ ରାଉରକଲୋ ପେଲେସ୍‌ରେ ଶନିବାର ସଂଧ୍ୟାରେ ରଘୁନାଥପାଲୀ ଥାନା ପୁଲିସ୍‌ ଚଢାଉ କରି ୧୨ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ହୋଟେଲରେ ଜୁଆ ଖେଳ ଚଲାଉଥିବା ମାଷ୍ଟରମାଇଣ୍ଡ ତଥା ହୋଟେଲର ଜଣେ କର୍ମଚାରୀଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି । ଗିରଫ ଜୁଆଡ଼ିମାନେ ହେଲେ ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ସାଲିମାର କମ୍ପେ୍ଲକ୍ସରେ ରହୁଥିବା ଆବିଦ ହୁସେନ, ଖରିଆବାହାଲ ବସ୍ତିର ମହମ୍ମଦ ଆସରଫ, କାଂଶବାହାଲ ନିକଟସ୍ଥ ଲାଇଙ୍ଗର ପ୍ରଦୀପ ସା, ପର୍ଶୁରାମ ସାହୁ, ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଢ଼ିଆଳିର ଲକ୍ଷ୍ମଣ ମାଝି, ଗୋପବନ୍ଧୁ କଲୋନୀର ମହମ୍ମଦ ନଦିମ ଓରଫ ନଦିମ ନିରବାନ, ବୀରମିତ୍ରପୁରର ଗୌରୀଶଙ୍କର ପାଣ୍ଡେ, ସନ୍ତୋଷ କୁମାର ସାହୁ, ପିଟ୍ଟର ଖେସ୍‌, ରାଜଗାଙ୍ଗପୁରର ମହେଶ ଅଗ୍ରୱାଲ, ନନ୍ଦନ କୁମାର ରାମ, ଦେଓଗାଁ ଧବଳେଶ୍ୱର ମାର୍କେଟର ଶଙ୍କରଲାଲ ସାହୁ ଓ ହୋଟେଲ କର୍ମଚାରୀ ଛେଣ୍ଡ କଲୋନୀର କ୍ୱାର୍ଟର୍ସ ନଂ.ଏଲ୍‌ସିଆର-୧୬୦ରେ ରହୁଥିବା ସୁକାନ୍ତ ଚନ୍ଦ୍ର ଦାସ ।

ଜୁଆଡ଼ିମାନଙ୍କ ପାଖରୁ ନଗଦ ଲକ୍ଷାଧିକ ଟଙ୍କା, ମୋବାଇଲ୍‌ ସମେତ ତାସ୍‌ ମୁଠା ଜବତ କରିଛି । ଗିରଫ ଜୁଆଡ଼ିମାନଙ୍କ ସମେତ ହୋଟେଲ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ୍‌ କୋର୍ଟ ଚାଲାଣ କରିଛି । ରଘୁନାଥପାଲୀ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓ ଶାନ୍ତା ନୂତନ ସାମଦ ଦେଇଥିବା ସୂଚନା ଅନୁସାରେ, ହୋଟେଲ ରାଉରକେଲା ପେଲେସ୍‌ର ୧୦୫ ନଂ.ରୁମ୍‌ରେ ଲକ୍ଷାଧିକ ଟଙ୍କାର ଜୁଆ ଖେଳ ଚାଲିଥିବା ନେଇ ଏକ ବିଶେଷ ସୂତ୍ରରୁ ପୁଲିସ୍‌କୁ ଖବର ମିଳିଥିଲା । ରଘୁନାଥପାଲୀ ଥାନା ଇନ୍ସପେକ୍ଟର ସୁବ୍ରତ ମେହେରଙ୍କ ସମେତ ପୁଲିସ୍‌ ଟିମ୍‌ ପକ୍ଷରୁ ମିଳିତ ଭାବେ ଉକ୍ତ ହୋଟେଲର ରୁମ୍‌ ନଂ.୧୦୫ରେ ଚଢାଉ କରାଯାଇଥିଲା । ଚଢାଉ କାଳରେ ସେହି ରୁମ୍‌ରେ ଜୁଆ ଖେଳ ଚାଲୁଥିବା ବେଳେ ୧୨ ଜଣ ଜୁଆଡ଼ି ଜୁଆ ଖେଳୁଥିବା ନେଇ ସ୍ପଷ୍ଟ ହୋଇଥିଲା । ସେମାନଙ୍କ ପାଖରୁ ନଗଦ ୧୬ ଲକ୍ଷ ୨ ହଜାର ୧୩୦ ଟଙ୍କା, ୧୧ ଟି ମୋବାଇଲ୍‌ ଓ ତାସ୍‌ମୁଠା ଜବତ କରିଛି । ଗିରଫ ଜୁଆଡ଼ିମାନେ ରାଉରକେଲା, ରାଜଗାଙ୍ଗପୁର ଓ ବୀରମିତ୍ରପୁର ଅଞ୍ଚଳର ହୋଇଥିବା ଏସ୍‌ଡ଼ିପିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.