jayashree

ଯୌତୁକ ନ ଦେବାରୁ ବୋହୂକୁ ତଣ୍ଟି ଚିପି ମାରିଦେଲେ ସ୍ଵାମୀ ଓ ଶାଶୁ ଶ୍ଵଶୁର : ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ

ବରଗଡ, (ନିରୋଜ କୁମାର ପାଣୀ) : ଯୌତୁକ ନ ଦେବାରୁ ବୋହୂକୁ ତଣ୍ଟି ଚିପି ମାରିଦେଲେ ସ୍ଵାମୀ ଓ ଶାଶୁ ଶ୍ଵଶୁର । ଏପରି ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ । ଗୋଟେ ବର୍ଷ ତଳେ ପ୍ରେମ ବିବାହ କରି ବାହା ହୋଇଥିବା ସ୍ଵାମୀ ଆଜି ଯୌତୁକ ଲୋଭରେ ନିଜେ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କୁସନପୁରୀ ଗ୍ରାମରେ । ଏନେଇ ଭଟଲି ଥାନାରେ ମୃତ ଝିଅଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କଲା ପରେ ଭଟଲି ପୋଲିସ ସ୍ଵାମୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଥିବା ବେଳେ ଶବ ବ୍ୟବଚ୍ଛେଦ ସହିତ ଅଧିକ ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ପୁଇନ୍ତଳା ଥାନା ଅନ୍ତର୍ଗତ ଲୁକାପଡାର ଗଙ୍ଗାଧର ନନ୍ଦଙ୍କ ୨୧ ବର୍ଷର ଝିଅ ସୁରମା ନନ୍ଦ ଗତ ବର୍ଷ ବରଗଡ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କୁସନପୁରୀ ଗ୍ରାମର ସାଗର କୁଶଳଙ୍କ ସହିତ ପ୍ରେମ ବିବାହ କରିଥିଲେ । ଉଭୟ ପରିବାରର ସହମତିରେ ବିବାହ କରାଯାଇ ଝିଅ ସୁରମା ନନ୍ଦକୁ ସାଗର କୁଶଳଙ୍କ ପରିବାର ଲୋକେ ଘରକୁ ଆଣିଥିଲେ । ମାତ୍ର ବିବାହ ପରେ ଧୀରେ ଧୀରେ ସ୍ଵାମୀ ସାଗର କୁଶଳ ବାରମ୍ବାର ଯୌତୁକ ଦାବୀ କରିଆସୁଥିଲେ ଏବଂ କେବଳ ଯେ, ସ୍ଵାମୀ ନୁହେଁ ମୃତ ସୁରମାଙ୍କ ଶାଶୁ ଓ ଶ୍ଵଶୁର ମଧ୍ୟ ଯୌତୁକ ଦାବୀ କରି ଶାରୀରିକ ନିର୍ୟାତନା ଦେଉଥିବା ଝିଅର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେବେ ବାପା ଗଙ୍ଗାଧରଙ୍କ ଅଭିଯୋଗ କ୍ରମେ ପୁଅ ଘର ଲୋକେ ନୂଆଁଖାଇ ପୂର୍ବରୁ ଫୋନ ଯୋଗେ ଯୌତୁକ ଦାବୀ କରି ଗାଳି ଗୁଲଜ କରିଥିଲେ ଏବଂ ଯୌତୁକ ନ ଦେବାରୁ ଗତକାଲି ସେପ୍ଟେମ୍ବର ୨୨ ତାରିଖ ରାତିରେ ଝିଅକୁ ହତ୍ୟା କରିଦେଇଛନ୍ତି ବୋଲି ଝିଅର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଝିଅର ମୃତ୍ୟୁ ଖବର ପାଇ ବଲାଙ୍ଗିର ଜିଲ୍ଲାରୁ ଝିଅର ପରିବାର ଲୋକେ କୁସନପୁରୀ ଗ୍ରାମକୁ ପହଞ୍ଚି ଝିଅର ମୃତ୍ୟୁ ହୋଇଯାଇଥିବା ଦେଖିଥିଲେ ଏବଂ ମୃତ ଝିଅର ବେକରେ ଚିହ୍ନ ରହିଥିବା ଦେଖିଥିଲେ । ତେବେ ଫୋନରେ ରେକର୍ଡ ହୋଇଥିବା ଏକ ଅଡିଓରେ ସ୍ଵାମୀ ସାଗର କୁଶଳ ସୁରମାକୁ ତଣ୍ଟି ଚିପି ହତ୍ୟା କରିଦେବି ବୋଲି ସୁରମାର ପରିବାର ଲୋକଙ୍କୁ ଧମକ ଦେଉଥିବା ସମୟରେ ସୁରମା ଚିତ୍କାର କରୁଥିବାର ଶବ୍ଦ ମଧ୍ୟ ରେକର୍ଡ ହୋଇଛି । ତେବେ ପୋଲିସ ପ୍ରଥମେ ସ୍ଵାମୀ ସାଗର କୁଶଳଙ୍କୁ ଗିରଫ କରିବା ସହିତ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ଅଧିକ ତଦନ୍ତ ଜାରି ରଖିଛି । ତହସିଲଦାର ଅଙ୍କିତ ପଣ୍ଡାଙ୍କ ଉପସ୍ଥିତିରେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ଘଟଣା ନାଁ ଆତ୍ମହତ୍ୟା ଘଟଣା ତାହା ଜଣାପଡିବ ବୋଲି ଭଟଲି ଥାନା ଅଧିକାରୀ ଜଣାଇଛନ୍ତି ।

Leave A Reply

Your email address will not be published.