କେନ୍ଦୁପତ୍ର ତୋଳାଳୀ କାର୍ଡ ନଥିବାରୁ ବହୁ ଗରିବ ତୋଳାଳୀ ଯୋଜନାରୁ ବଞ୍ଚିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରମୁଖ ଅର୍ଥକାରୀ ଫସଲ ସବୁଜ ହୀରା ଭାବରେ ପରିଗଣିତ କେନ୍ଦୁପତ୍ର । ବିଶେଷ କରି ଗରିବ ଆଦିବାସୀ, ଦିମଜୁରିଆ ଲୋକଙ୍କ ଗୁଜରାଣ୍ଟ ମେଣ୍ଟାଉଥିବା କେନ୍ଦୁପତ୍ର ଏକ ପ୍ରକାର ରାହା ଯୋଗାଇ ଥାଏ । ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଅନେକ ଯୋଜନା କାର୍ୟ୍ୟକାରୀ କରୁଥିବା ବେଳେ ଅନେକ ଗରିବ ତୋଳାଳୀଙ୍କ ପାଖରେ କାର୍ଡ ନଥିବାରୁ କେନ୍ଦୁପତ୍ର ତୋଳିବାରୁ ବଞ୍ଚିତ ହେଉଛନ୍ତି । ଅନେକ ଗରିବ ଆଦିବାସୀ ପରିବାରର କାର୍ଡ ପାଇଁ ଆବେଦନ କରି ଥିଲେ ମଧ୍ୟ କାର୍ଡ ମିଳୁନଥିବା ଯୋଗୁଁ ପତ୍ର ତୋଳି ପାରୁନଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ସରକାର କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଠପଢୁଥିବା ପୁଅଝିଅ ମାନଙ୍କୁ ଓ ଝିଅ ବିବାହ ପାଇଁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ କାର୍ଡ ନଥିବା ତୋଳାଳୀଙ୍କ ପାଠପଢ଼ା ପୁଅଝିଅ ଏହି ଯୋଜନାରୁ ମଧ୍ୟ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଯୋଗୀମୁଣ୍ଡା ରେଞ୍ଜ ଦାୟିତ୍ବରେ ଥିବା ରେଞ୍ଜର ବାସନ୍ତୀ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଯେଉଁ ମାନେ କାର୍ଡ ପାଇଁ ଆବେଦନ କରିଛନ୍ତି, ଆମେ ତାହାକୁ କ୍ରମିକ ନଂବର ଆକାରରେ ପଠାଉଛୁ ବୋଲି କହିଥିବା ବେଳେ କାର୍ଡ ଆସିଥିଲେ ପ୍ରତ୍ୟେକ ଗ୍ରାମରେ ଥିବା ଫଡି କମିଟିଙ୍କୁ ତୋଳାଳୀ କାର୍ଡ ବଣ୍ଟନ କରାଯିବ ଓ କମିଟି ହିଁ ଚୟନ ହୋଇଥିବା କାର୍ଡ ତୋଳାଳୀଙ୍କୁ ବଣ୍ଟନ କରିବେ ବୋଲି କହିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ କେନ୍ଦୁପତ୍ର ତୋଳିବାରୁ ବଞ୍ଚିତ ହୋଇଥିବା ତୋଳାଳୀଙ୍କୁ କାର୍ଡ ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.