ଓଡ଼ିଶାରେ ପଞ୍ଚାୟତିରାଜ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି

ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ କେନ୍ଦ୍ରୀୟ ଅର୍ଥ ଆୟୋଗମାନଙ୍କ ସୁପାରିଶ ଅନୁଯାୟୀ ଓଡ଼ିଶାରେ ପଞ୍ଚାୟତିରାଜ ପ୍ରତିଷ୍ଠାନ (ପିଆରଆଇ)ଗୁଡ଼ିକ ପାଇଁ ଅନୁଦାନ ଆବଣ୍ଟନ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଅଷ୍ଠମ ଅର୍ଥ ଆୟୋଗଙ୍କ ଅମଳରେ ୨,୮୯୮.୨୨ କୋଟି ଟଙ୍କା ଅନୁଦାନ ଜାରି କରାଯାଇଥିବାବେଳେ ନବମ ଅର୍ଥ ଆୟୋଗଙ୍କ ଅମଳରେ ୮,୮୫୦ କୋଟି ଟଙ୍କା ଓ ଦଶମ ଅର୍ଥ ଆୟୋଗଙ୍କ ଅମଳରେ ୧୧,୦୫୮ କୋଟି ଟଙ୍କା ଜାରି କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନୁଦାନର ଚୂଡ଼ାନ୍ତ ଆବଣ୍ଟନ, ରାଜ୍ୟମାନେ କିପରି ରାଜ୍ୟ ଅର୍ଥ ଆୟୋଗମାନଙ୍କ ସୁପାରିଶ ଅନୁସାରେ ପାଣ୍ଠି ଆବଣ୍ଚନ କରନ୍ତି ତାହା ଉପରେ ନିର୍ଭର କରେ । ଆହୁରି ମଧ୍ୟ ପଞ୍ଚାୟତିରାଜ ସ୍କିମ (ନବୀକୃତ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସଏ)ର କେନ୍ଦ୍ରୀୟ ପ୍ରାୟୋଜିତ ସ୍କିମ) ଅଧିନରେ ପାଣ୍ଠି ପ୍ରଦାନ ରାଜ୍ୟ ଦ୍ୱାରା ବାର୍ଷିକ କାର୍ଯ୍ୟଯୋଜନାର ଚୂଡ଼ାନ୍ତ କରିବା, ରାଜ୍ୟର ଅନୁପୂରକ ଅଂଶ ଜାରି ହେବା, ବିନିଯୋଗ ପ୍ରମାଣପତ୍ର ଦାଖଲ ଓ ସାମଗ୍ରୀକ ଭାବେ ବ୍ୟୟର ବେଗ ଉପରେ ନିର୍ଭର କରେ । ଗତ ତିନି ବର୍ଷରେ ଆରଜିଏସଏ ସ୍କିମ ଅଧିନରେ ଓଡ଼ିଶାକୁ ଦିଆଯାଇଥିବା କେନ୍ଦ୍ରୀୟ ଭାଗ ପାଣ୍ଠିକୁ ଦେଖିଲେ ଜଣାପଡେ ଯେ, ୨୦୨୨-୨୩ ମସିହାରେ ୧୧.୪୦ କୋଟି ଟଙ୍କା, ୨୦୨୩-୨୪ ମସିହାରେ ୨୭.୩୩ କୋଟି ଟଙ୍କା ଓ ୨୦୨୪-୨୫ ମସିହାରେ ୨୦କୋଟି ଟଙ୍କା ଦିଆଯାଇଛି । ଆରଜିଏସଏ ଯୋଜନା ଅଧୀନରେ ପଞ୍ଚାୟତିରାଜ ସଂସ୍ଥାମାନଙ୍କର ନିର୍ବାଚିତ ପ୍ରତିନିଧି ଏବଂ ସେମାନଙ୍କର ଅଧିକାରୀଙ୍କ ପାଇଁ ଏକ କେନ୍ଦ୍ରୀୟ ପାଣ୍ଠିରେ କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଅଂଶଗ୍ରହଣ କରୁଛି । ୨୦୨୨-୨୩ ମସିହାରୁ, ରାଜ୍ୟର ମୋଟ ୬,୬୨,୩୪୫ ଜଣ ନିର୍ବାଚିତ ପ୍ରତିନିଧି ଏବଂ ପଞ୍ଚାୟତିରାଜ ସଂସ୍ଥାମାନଙ୍କର ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି । ଏହି କାର୍ଯ୍ୟକ୍ରମଗୁଡ଼ିକ ରାଜ୍ୟ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏସଆଇଆରଡି ଏଣ୍ଡ୍ ପିଆର୍), ଜାତୀୟ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏନଆଇଆରଡି ଏଣ୍ଡ୍ ପିଆର୍), ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ (ଆଆଇଏମ), ଏବଂ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର (ଡିପିଆରସି) ଭଳି ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ମାଧ୍ୟମରେ ପରିଚାଳିତ ହୁଏ । ଏହି ତାଲିମଗୁଡ଼ିକ ଯୋଜନା, କାର୍ଯ୍ୟାନ୍ୱୟନ, ସମ୍ବଳ ସଂଗ୍ରହ ଏବଂ ପରିଚାଳନା ଭଳି କ୍ଷେତ୍ରରେ ଶାସନ କ୍ଷମତା ଏବଂ ନେତୃତ୍ୱ ଦକ୍ଷତାକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖେ । ଏହା ସହିତ, ପଞ୍ଚାୟତିରାଜ ସଂସ୍ଥା ସଦସ୍ୟ ଏବଂ ଅଧିକାରୀଙ୍କ ପାଇଁ ବିଷୟ-ଆଧାରିତ କର୍ମଶାଳା ଆୟୋଜନ କରାଯାଇଛି, ଯାହା ସ୍ୱାସ୍ଥ୍ୟ, ଶିକ୍ଷା, ଲିଙ୍ଗ ସମାନତା, ପରିବେଶ ସୁରକ୍ଷା, ସାମାଜିକ ସୁରକ୍ଷା ଏବଂ ସୁଶାସନ ଭଳି କ୍ଷେତ୍ର ଉପରେ ଧ୍ୟାନ ଦେଇ କରାଯାଇଥାଏ । ଏହା ବ୍ୟତୀତ, ଆରଜିଏସଏ ଦକ୍ଷତା ନିର୍ମାଣ ଯୋଜନା ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଯୁଜ୍ୟ ଅନୁମୋଦିତ ନିର୍ଦ୍ଦେଶାବଳୀ ଅନୁସାରେ କାର୍ଯ୍ୟକାରୀ ହୁଏ ଏବଂ କୌଣସି ରାଜ୍ୟକୁ ଯୋଜନା ନିର୍ଦ୍ଦେଶାବଳୀ ବ୍ୟତୀତ କୌଣସି ନମନୀୟତା ଦିଆଯାଇ ନାହିଁ । କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲ୍ଲନ ସିଂହ ୦୩ ଡିସେମ୍ବର ୨୦୨୫ରେ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଏହି ସୂଚନା ଦେଇଥିଲେ ।

Leave A Reply

Your email address will not be published.