ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟ ଫଟାମୁଣ୍ଡାଠାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ କଅଁର ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଡୁଙ୍ଗୁରିପାଲି ବ୍ଲକର ସହଲା, ଚେରୁପାଲି ଓ ଡୁଙ୍ଗୁରିପାଲି କ୍ଲଷ୍ଟରର ୧୭୮ଜଣ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟରୁ ୧୧୨ଜଣ ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ସମୟରେ ଚଷମା ପ୍ରଦାନ କରାଯିବ । ୫ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସୁବର୍ଣ୍ଣପୁରକୁ ଉତ୍ତମ ଚିକିତ୍ସା ପାଇଁ ଯିବାକୁ ଉକ୍ତ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଡୁଙ୍ଗୁରିପାଲି ଗୋଷ୍ଠୀ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ବିଦ୍ୟାଧର ସାହୁ ଏବଂ ବିନିକା ଗୋଷ୍ଠୀ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଅଶୋକ ମଲ୍ଲିକ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନ ଓ ମନୋଜ କୁମାର ସାହୁ, ଅନ୍ତର୍ନିବେଶୀ ସ୍ୱେଚ୍ଛାସେବୀ ହିମାଂଶୁ ଶେଖର ସାହୁ ଓ ଲୋଚନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିକ୍ଷକ ମୀନକେତନ ପଧାନ, ପ୍ରଦୀପ ପଧାନ, କୁବେର ପଧାନ ଓ ସାରଥୀ ଭାଏନାଙ୍କ ସହିତ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଶାନ୍ତିଶୃଙ୍ଖଳାର ସହ ସଫଳ ହୋଇଥିଲା ।