jayashree

ପ୍ରହସନ ପାଲଟିଛି ‘ମୋ ଜଙ୍ଗଲ ଜମି ଯୋଜନା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଶାସନିକ ଆନ୍ତରିକତା ଅଭାବରୁ ବଲାଙ୍ଗିର ଜିଲ୍ଲାରେ ପ୍ରହସନ ପାଲଟିଛି ମୋ ଜଙ୍ଗଲ ଜମି ଯୋଜନା । ବିଭାଗୀୟ ଅଧିକାରୀଙ୍କ ଅବହେଳା ତଥା ଅସହଯୋଗ ମନୋଭାବ ଯୋଗୁଁ ଏହି ଯୋଜନାର ସୁଫଳ ପାଇବାରୁ ସାଧାରଣ ଲୋକେ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି । ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵୀକୃତି ଆଇନ -୨୦୦୬) ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ‘ମୋ ଜଙ୍ଗଲ ଜମି ଯୋଜନା’ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ସଂଖ୍ୟାଲଘୁ ସମ୍ପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାର ୧୪୨୫ଟି ଗ୍ରାମରେ ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବା ସକାଶେ ପ୍ରାବଧାନ ରହିଛି । ସରକାରୀ ତଥା ବେସରକାରୀ ସ୍ତରରେ ଏଥିପାଇଁ କୋଟି କୋଟି ଟଙ୍କା ସରକାର ବ୍ୟୟ କରୁଛନ୍ତି । ଏଥିପାଇଁ ଗତବର୍ଷ ନଭେମ୍ବର ୧୦ ଓ ୧୬ ତାରିଖରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି । ତେବେ ଅସଲରେ ଯୋଜନା ପ୍ରଣୟନର ବର୍ଷକ ପରେ ମଧ୍ୟ ଅନେକ ଗ୍ରାମରେ ଜଙ୍ଗଲ ଅଧିକାର କମିଟି ଗଠନ ମଧ୍ୟ ହୋଇପାରି ନାହିଁ । ଜିଲ୍ଲାରେ ବସବାସ କରୁଥିବା ହଜାର ହଜାର ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ବ୍ୟକ୍ତିଗତ, ଗୋଷ୍ଠିଗତ ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ସମ୍ବନ୍ଧୀୟ ଦାବିଗୁଡ଼ିକୁ ଅଣଦେଖା କରାଯାଉଥିବା ନେଇ ଜଙ୍ଗଲ ଅଧିକାର କମିଟି ଗୁଡ଼ିକ ପକ୍ଷରୁ ଅଭିଯୋଗ ହେଉଛି । ଜିଲ୍ଲାର ୧୪୨୫ଟି ଗ୍ରାମ ମଧ୍ୟରୁ ପ୍ରାୟ ୪ ଶହଟି ଜଙ୍ଗଲ ଅଧିକାର କମିଟି ପକ୍ଷରୁ ସେମାନଙ୍କ ଦାବି ଗୁଡ଼ିକର ସତ୍ୟାସତ୍ୟ ନିରୂପଣ ସକାଶେ ଉଭୟ ରାଜସ୍ୱ ଓ ଜଙ୍ଗଲ ବିଭାଗକୁ ସୂଚିତ କରାଯାଇଥିଲେ ମଧ୍ୟ କାମ ବିଶେଷ ଅଗ୍ରଗତି ହୋଇପାରି ନଥିବା ଜଣାଯାଇଛି । ରାଜସ୍ୱ ବିଭାଗ ତଥା ଜଙ୍ଗଲ ବିଭାଗ ମଧ୍ୟରେ ଆବଶ୍ୟକ ସମନ୍ଵୟ ଅଭାବରୁ ଅନେକ ସ୍ଥାନରେ କାମ ଅଟକି ରହିଛି । ସତ୍ୟାସତ୍ୟ ନିରୂପଣ ତଥା ଯୁଗ୍ମ ତଦନ୍ତ ପାଇଁ ତାରିଖ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ବିଭାଗୀୟ କର୍ମଚାରୀ ଠିକ୍ ସମୟରେ ଉପସ୍ଥିତ ରହୁ ନାହାନ୍ତି । ଯେଉଁଠି ବି ଯୁଗ୍ମ ତଦନ୍ତ କରାଯାଉଛି, ରିପୋର୍ଟ ଦିଆଯାଉ ନାହିଁ ଅଥବା ରିପୋର୍ଟ ଦେବାରେ ଅହେତୁକ ବିଳମ୍ବ କରାଯାଉଥିବା ଅଭିଯୋଗ ହେଉଛି । ଏପରିକି ଗ୍ରାମ ସୀମାରେ ଥିବା ଜଙ୍ଗଲ ଜମିର ଜିପିଏସ୍‌ ସର୍ଭେ ପାଇଁ ବଲାଙ୍ଗିର ଉପଜିଲ୍ଲାପାଳ(ପତ୍ରାଙ୍କ ସଂଖ୍ୟା -୪୪୩୭, ତା:୧୨/୦୮/୨୪ ) ନିର୍ଦ୍ଦେଶ ଦେବାର ୩ ମାସ ପରେ ମଧ୍ୟ କୌଣସି ସ୍ଥାନରେ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ବିଭାଗୀୟ ଅଧିକାରୀ ଖାତିର କରୁନଥିବା ପରିଲକ୍ଷିତ ହୋଇଛି । ଏଭଳି ସ୍ଥିତିରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ତଥା ଦାୟିତ୍ୱରେ ଅବହେଳା ଯୋଗୁଁ ଏହି ଯୋଜନାର ସଫଳ ରୂପାୟନ ହୋଇପାରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ସେମାନଙ୍କ ନ୍ୟାଯ୍ୟ ଦାବି ପ୍ରଦାନ କରାଯିବା ନେଇ ଆରମ୍ଭ ହୋଇଥିବା ଏହି ଯୋଜନା ସୁଦୂର ପରାହତ ହୋଇଛି । ସରକାରୀ ସ୍ତରରେ ଅବହେଳା ନେଇ ବିଭିନ୍ନ ଜଙ୍ଗଲ ଅଧିକାର କମିଟି ଗୁଡ଼ିକ ପକ୍ଷରୁ + ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଆଗାମୀ ଦିନରେ ଆଇନକୁ ହାତକୁ ନେଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବା ସକାଶେ ବିଭିନ୍ନ ଜଙ୍ଗଲ ଅଧିକାର କମିଟି ଗୁଡ଼ିକ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.