ଯୋଜନା ଅନୁଯାୟୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

  • ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପରାମର୍ଶ
  • ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ ଗୋଟିଏ ଟିମ୍‌ ଭାବେ କାମ କରିବା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମସ୍ତ ବିଭାଗୀୟ ସଚିବ ମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ଅଭିବୃଦ୍ଧି ତ୍ୱରାନ୍ୱିତ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ । ବିଭିନ୍ନ ବିଭାଗ, ବିଶେଷ କରି ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା ବିଭାଗ ଗୁଡିକ ଆବଶ୍ୟକ ସ୍ଥଳେ ଅଧିକ ଗ୍ଧରମଷଦ୍ଭସମବକ୍ଷ ଜ୍ଞବଦ୍ଭକ୍ଟ୍ରକ୍ଟଙ୍ଗରକ୍ସ ନିଯୁକ୍ତ କରି କାର୍ଯ୍ୟକ୍ରମ ଗୁଡିକୁ ଆଗେଇ ନେବା ଉଚିତ୍ ବୋଲି ସେ କହିଥିଲେ । ଯେହେତୁ ରାଜ୍ୟ ସରକାର ୨୦୩୬ ଓ ୨୦୪୭ ପାଇଁ ବଡ ଭିଜନ୍ ରଖି କାମ ଆରମ୍ଭ କରିଛନ୍ତି, ତେଣୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏହାକୁ ଦୃଷ୍ଟିରେ ରଖି ସମ୍ମିଳିତ ଭାବେ, ଟିମ୍ ସ୍ପିରିଟ୍ ନେଇ କାମ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଅପ୍ରେଲ-ଜୁଲାଇ ଅବଧିର ୨୦୨୩-୨୪ ଓ ୨୦୨୪-୨୫ ପାଇଁ ଏକ ତୁଳନାତ୍ମକ ଆୟ ବ୍ୟୟର ହିସାବ ଉପସ୍ଥାପନ କରିଥିଲେ । ଚଳିତ ଆର୍ଥିକ ବର୍ଷର ଅପ୍ରେଲ-ଜୁଲାଇ ଅବଧି ମଧ୍ୟରେ ସମୁଦାୟ ଆୟର ପରିମାଣ ୫୭,୦୮୫ କୋଟି ଟଙ୍କା ଥିବା ବେଳେ ଗତ ବର୍ଷ ସେହି ଅବଧି ମଧ୍ୟରେ ଆୟର ପରିମାଣ ୫୧,୨୩୪ କୋଟି ଟଙ୍କା ଥିଲା । ଏହି ପରିମାଣ ଗତ ବର୍ଷର ଏହି ଅବଧିର ଆୟ ଅପେକ୍ଷା ୧୧.୪୨ ପ୍ରତିଶତ ଅଧିକ । ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.