ଐତିହ୍ୟ, ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳର ବିକାଶ ଯୋଜନା କାର୍ଯ୍ୟକାରୀ

  • ମା’ ତାରାତାରିଣୀ ମନ୍ଦିର ପୀଠ ସମ୍ମୁଖସ୍ଥ ଋଷିକୂଲ୍ୟା ନଦୀର ଉନ୍ନତିକରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ୱାର୍କସ ବିଭାଗ ଦ୍ଵାରା ଚଳିତ ଆର୍ଥିକ ୨୦୨୩-୨୪ ବର୍ଷରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ମା’ ତାରାତାରିଣୀ ମନ୍ଦିର ପୀଠ ସମ୍ମୁଖ ସ୍ଥିତ ଋଷିକୂଲ୍ୟା ନଦୀ ପଠାର ଉନ୍ନତିକରଣ ସକାଶେ ପ୍ରଶାସନିକ ଅନୁମୋଦନ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅନୁରୋଧ ପତ୍ର ପ୍ରକାରେ ରାଜ୍ୟ ସରକାର ଏହି ପ୍ରକଳ୍ପର କାର୍ଯ୍ୟ ନିମନ୍ତେ ୧୫ କୋଟି ୬୨ଲକ୍ଷ ୯ହଜାର ଟଙ୍କାର ଅର୍ଥରାଶି ଯୋଗାଇ ଦେଇଛନ୍ତି । ଏହି ଅନୁଦାନ ପାଣ୍ଠି ଐତିହ୍ୟ, ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳର ବିକାଶ ସକାଶେ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ମା’ ତାରାତାରିଣୀ ପୀଠର ସର୍ବାଙ୍ଗୀନ ଉନ୍ନତି ହେବା ସମେତ ପର୍ଯ୍ୟଟକଙ୍କ ଯାନବାହନ ରଖିବା ବ୍ୟବସ୍ଥା, ବଗିଚାରେ ଭ୍ରମଣ କରି ମନୋରଞ୍ଜନର ମାଧ୍ୟମ ସୃଷ୍ଟି ହେବ । ସ୍ଥାନୀୟ ସ୍ଥାପତ୍ୟର ସୁରକ୍ଷା ବ୍ୟବସ୍ଥା ହେବା ସହିତ ପାରିପାର୍ଶ୍ବିକ ସ୍ଥିତିର ବିକାଶ ହୋଇ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ବୃଦ୍ଧି ପାଇବ । ଅନୁଦାନ ପାଣ୍ଠି ଏହି ଅଞ୍ଚଳର ଐତିହ୍ୟ, ସ୍ମାରକୀ ଏବଂ ପର୍ଯ୍ୟଟନ ବିକାଶ, ଜନସାଧାରଣଙ୍କ ସୁବିଧା, ପକ୍କାରାସ୍ତା, ମୂର୍ତ୍ତି ଉଦ୍ୟାନ, ଜମି କ୍ୟାପିଙ୍ଗ ଓ ବୃକ୍ଷରୋପଣ, ବିଦ୍ୟୁତକରଣ ଏବଂ ବାହ୍ୟ ଅଲୋକିକରଣ, ମାର୍ଗଦର୍ଶକ ଚିହ୍ନଟ, ଡଷ୍ଟବିନ ପ୍ରଭୁତି ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ସରକାର । ଏହି ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.