
ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ତାଙ୍କର ନିର୍ବାଚନୀ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି । ଏହିକ୍ରମରେ ଆଜି ଶ୍ରୀ ରାୟ ସିଭିଲ ଟାଉନ୍ସିପ୍ ଅଞ୍ଚଳରେ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ନିଜ ସପକ୍ଷରେ ତଥା ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ଓ ବିଧାନସଭା ପାଇଁ ତାଙ୍କୁ ସେମାନଙ୍କ ବହୁମୂଲ୍ୟ ମତଦାନ କରି ପରିବର୍ତ୍ତନ ଧାରାରେ ଅଗ୍ରଣୀ ଭୂମିକା ନିର୍ବାହ ପାଇଁ ଆହ୍ୱାନ ଦେଇଥିଲେ । ପରେ ହକି ଭିଲେଜ୍ ଠାରେ ବିହାରୀ ସମ୍ପ୍ରଦାୟଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସେଠାରୁ ରେଲୱେ କଲୋନୀ ଓ ରେଲୱେ କଲୋନୀ ବଜାର ଅଞ୍ଚଳ ଗସ୍ତ କରି ଶ୍ରୀ ରାୟ ସେଠାକାର ବାସିନ୍ଦାମାନଙ୍କ ସହ ନିର୍ବାଚନ ସଂକ୍ରାନ୍ତରେ ବିଶଦ୍ ଆଲୋଚନା କରିବା ସହ ଅଞ୍ଚଳ ପରିକ୍ରମା କରିଥିଲେ । ଦିନକୁ ଦିନ ଶ୍ରୀ ରାୟଙ୍କ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ମାନଙ୍କରେ ସମର୍ଥକଙ୍କ ସଂଖ୍ୟା ବଢୁଥିବା ବେଳେ ନିର୍ବାଚନରେ ତାଙ୍କ ବିଜୟ ସୁନିଶ୍ଚିତ ମନେହେଉଛି । କାରଣ ଶ୍ରୀ ରାୟଙ୍କ ଏହି ନିର୍ବାଚନୀ କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କ ଅଦ୍ଭୂତପୁର୍ବ ସମାଗମ ତଥା ସମର୍ଥନ ଲୋକମାନଙ୍କ ମଧ୍ୟରେ ବିଜୟର ଆଶାକୁ ଉଜ୍ଜୀବିତ କରିବାରେ ସହାୟକ ହେଉଛି । ଗତକାଲି ସନ୍ଧ୍ୟାରେ ଗାନ୍ଧୀରୋଡ୍, ବିଶ୍ରା ଡହର ଓ ରେଲୱେ କଲୋନୀରେ ମଧ୍ୟ ଶ୍ରୀ ରାୟ ନିର୍ବାଚନୀ ସଭା କରିବା ସହ ନିର୍ବାଚନୀ କାର୍ଯ୍ୟାଳୟ ବୁଲି ଦେଖିଥିଲେ । ରାଉରକେଲା ବିମାନ ବନ୍ଦର ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିବାବେଳେ ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଉରକେଲା ଓ ରଘୁନାଥପାଲ୍ଲୀ ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ଦୁର୍ଗା ତନ୍ତୀ, ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ, ରଘୁନାଥପାଲ୍ଲୀ ପୂର୍ବତନ ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ବେହେରା, ସୁକେଶୀ ଓରାମ, ପୂର୍ଣ୍ଣିମା କେର୍କେଟା, ପ୍ରମିଳା ଦାସ, ଜଗବନ୍ଧୁ ବେହେରା, ଦିନେଶ ଜୈନ, ସୁବ୍ରତ ପଟ୍ଟନାୟକ, ଶଶାଙ୍କ ଜେନା, ଅରୁଣ ପାଣିଗ୍ରାହୀ, ଗଙ୍ଗାଧର ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଶ୍ରୀ ରାୟ ଉତ୍ତରୀୟ ପ୍ରଦାନପୂର୍ବକ ଶ୍ରୀ ଶାହାଙ୍କୁ ସ୍ୱାଗତ ଜଣାଇଥିଲେ । ସମାବେଶରେ ହଜାର ହଜାର ଦଳୀୟ କର୍ମକର୍ତ୍ତା ଓ ସାଧାରଣ ଜନତାଙ୍କୁ ସମ୍ବୋଧନ କରି ଶ୍ରୀ ଶାହା କହିଲେ ଯେ, ଏବେ ଓଡ଼ିଶାରେ ସରକାର ପରିବର୍ତ୍ତନର ଆବଶ୍ୟକତା ରହିଛି । ତେଣୁ ଆପଣମାନେ ବିଜେପି ପ୍ରାର୍ଥୀମାନଙ୍କୁ ଭୋଟଦେଇ ଜୟଯୁକ୍ତ କରିବା ସହ ଏହି ପରିବର୍ତ୍ତନର ଆରମ୍ଭ କରନ୍ତୁ ବୋଲି ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ ।