ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପୂର୍ବକ ବରିଷ୍ଠ ନାଗରିକ ନେତ୍ତୃବର୍ଗ ତିନୋଟି ଦଫା ସମ୍ବଳିତ ବିଷୟ ଉପରେ ଆପୋଷ ଆଲୋଚନା କରିଛନ୍ତି । ଛତ୍ରପୁରର ବରିଷ୍ଠ ନାଗରିକ ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଏବଂ ଚିନ୍ତାଶୀଳ ନାଗରିକ ପ୍ରଫୁଲ୍ଲ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ଙ୍କୁ ଭେଟି ସହରର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଛତ୍ରପୁର ସହରର ସାମଗ୍ରିକ ବିକାଶ ଏବଂ ବହୁବିଧ ଉନ୍ନତି କଳ୍ପେ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିଥିଲେ । ସହରରେ ଜନସଂଖ୍ୟା ତୁଳନାରେ ମାଙ୍କଡମାନଙ୍କର ଅହେତୁକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି କୁହାଯାଇଛି । ମାଙ୍କଡମାନଙ୍କର ଉତ୍ପାତ ଓ ଦୋରାତ୍ମ୍ୟ ଏତେ ମାତ୍ରାରେ ବଢ଼ି ଚାଲିଛି ଯେ, ଜନସାଧାରଣଙ୍କ ପାଇଁ ଏକ ବିଷମ ଜଟିଳ ସମସ୍ୟା ସୃଷ୍ଟି କରିଛି ବୋଲି ଅଭିଯୋଗ କରିଛନ୍ତି । ଅଧିକ ସଂଖ୍ୟାରେ ଥିବା ନାଲିମୁହଁ ମାଙ୍କଡ ଯାହାକୁ ଆଞ୍ଚଳିକ ଭାଷାରେ ପାତି-ମାଙ୍କଡ କୁହାଯାଏ ଏବଂ ଅନ୍ୟଟି ହନୁ-ମାଙ୍କଡଙ୍କ ସଂଖ୍ୟା ଏ ମାନଙ୍କର ଅର୍ଦ୍ଧେକ ହେବ ବୋଲି ଜଣାଯାଇଛି । ମାଙ୍କଡମାନଙ୍କର ସହର ବୋଲି ମତପ୍ରକାଶ ପାଉଥିବା ଛତ୍ରପୁର ସହରରେ ମାଙ୍କଡମାନେ ବହୁସଂଖ୍ୟାରେ ଚଲାବୁଲା ଅବା ବିଚରଣ କରିଆସୁଛନ୍ତି । ସାଧାରଣଜନତା ବିଶେଷକରି ପାତି-ମାଙ୍କଡମାନଙ୍କର ଆକ୍ରମଣର ଶିକାର ହେଉଛନ୍ତି । ଏହି ଦୁଇ ଜାତିର ମାଙ୍କଡ ମାନଙ୍କୁ ଜଙ୍ଗଲ ବିଭାଗର ସହଯୋଗରେ ସେମାନଙ୍କୁ ଅନ୍ୟତ୍ର ଛାଡ଼ିବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ସେହିପରି ଦୁର୍ଘଟଣାର ମରଣଯନ୍ତା ପାଲଟିଥିବା ସ୍ଥାନ ଛତ୍ରପୁରର କଲେଜ୍ ଛକ ଏବଂ ଡି.ଆର୍.ଡି.ଏ. ଛକ ଦେଇ ନିର୍ମାଣ ହେବାକୁ ଥିବା ଫ୍ଲାଏ ଓଭର ବ୍ରିଜ୍ ଖୁବ୍ ଶୀଘ୍ର ନିର୍ମାଣ କରିବାକୁ ଦାବି କରାଯାଇଛି । ଛତ୍ରପୁର ସହରାଞ୍ଚଳର କ୍ରମବଦ୍ଧିଷ୍ଣୁ ଅଞ୍ଚଳ, ଜନଗହଳିକୁ ଦୃଷ୍ଟିରେ ରଖି ବାଧ୍ୟତାମୂଳକ ଭାବେ ଉନ୍ନୟନ ପ୍ରକଳ୍ପ ଦ୍ଵାରା ସାମଗ୍ରିକ ବିକାଶ ମୂଳକ କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି । ଜମି ଅଧିଗ୍ରହଣ ହୋଇଥିବା ନୂତନ ବସଷ୍ଟାଣ୍ଡର ବିପରୀତ ଅଞ୍ଚଳରୁ ଗୋପାଳପୁର ବନ୍ଦରକୁ ସ୍ୱତନ୍ତ୍ର ସଡ଼କପଥ ଖୁବ୍ ଶୀଘ୍ର ନିର୍ମାଣ କରିବାକୁ ଦାବି ହୋଇଛି । ଛତ୍ରପୁର ସହରାଞ୍ଚଳକୁ ମ୍ୟୁନିସିପାଲିଟିର କାର୍ଯ୍ୟକ୍ଷମ ଖୁବ୍ ଶୀଘ୍ର ତ୍ଵରାନିତ କରି ବହୁବିଧ ଉନ୍ନତି ଓ ସହରର ବିକାଶ ନିମନ୍ତେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।