ଭିନ୍ନକ୍ଷମଙ୍କ କଥା ବୁଝିଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭିନ୍ନକ୍ଷମଙ୍କ ନାମରେ ଆଧାରକାର୍ଡ ନଥିବା ହେତୁ ଭତ୍ତା ପାଇବାରେ ବଞ୍ଚିତ ହୋଇଥିବା ଜଣେ ଭିନ୍ନକ୍ଷମ ଯୁବକଙ୍କ ଏକ ବିଡମ୍ବନାର ବିଷୟକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଦୃଷ୍ଟି-ଆକର୍ଷଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଖଲ୍ଲିକୋଟ ସହରର ବଙ୍ଗଳାସାହି ୱାର୍ଡ଼ନମ୍ବର- ୪, ସ୍ଵର୍ଗତ ରାଧାମୋହନ ବେହେରାଙ୍କ ପୁତ୍ର ଦିଲ୍ଲୀପ କୁମାର୍ ବେହେରା (୪୦)ଙ୍କ ନାମରେ ଆଧାର କାର୍ଡ ହୋଇପାରିନାହିଁ । ଆଜିକାଲିର ଇଣ୍ଟରନେଟ୍ ଭିତ୍ତିକ ଯୁଗରେ ନିଜର ଘରର କୌଣସି ସହଯୋଗୀ ନଥିବା ହେତୁ ତାଙ୍କର ଆଧାରକାର୍ଡ ହୋଇପାରିନାହିଁ । ଆଧାରକାର୍ଡ ତାଙ୍କରି ନାମରେ ନଥିବା ହେତୁ ଆଜକୁ ୯ ମାସର ଭତ୍ତା ମିଳିବାରେ ବଞ୍ଚିତ ହୋଇଛନ୍ତି । ପୁନଶ୍ଚ ତାଙ୍କରି ଡାକ୍ତର ସାର୍ଟିଫିକେଟ ପ୍ରମାଣରୁ ସେ ୧୦୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିବା ବେଳେ ସେ ବର୍ଦ୍ଧିତ ମାତ୍ରାର ଭତ୍ତା ନ ମିଳିବା ଅତ୍ୟନ୍ତ ପରିତାପ ଓ କ୍ଷୋଭର ବିଷୟ ବୋଲି ତାଙ୍କରି ସହଯୋଗରେ ଆସିଥିବା ବ୍ୟକ୍ତିବର୍ଗ ଜିଲ୍ଲା ପ୍ରଶାସନ ଆଗରେ କହିଛନ୍ତି । ତେବେ ଅଭିଯୋଗ ଶୁଣାଣୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ଉକ୍ତ ଭିନ୍ନକ୍ଷମ ଯୁବକଙ୍କୁ ରେଡକ୍ରସ୍ ପାଣ୍ଠିରୁ ସହାୟତା ରାଶି ସହ ଏକ ନୂତନ ଟ୍ରାଇ ସାଇକେଲ ଟିଏ ମଧ୍ୟ ପ୍ରଦାନ କରି ତାଙ୍କୁ ଉତ୍ସାହିତ କରିଛନ୍ତି । ଏ କ୍ଷେତ୍ରରେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା ତାଙ୍କରି କିଛି ସହଯୋଗୀଙ୍କ ସହ ଚାରିଚକିଆ ଯାନ ବ୍ୟବସ୍ଥା କରି ଭିନ୍ନକ୍ଷମ ଯୁବକଙ୍କୁ ଆଣିବାରେ ସକ୍ରୀୟ ସହଯୋଗ କରିଥିବା ନେଇ ଏକ ଚର୍ଚ୍ଚାକୁ ଆସିଛନ୍ତି । ପ୍ରକାଶ ଥାଉକି, ମାସର ପ୍ରଥମ ସୋମବାରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଡି.ଆର୍.ଡି.ଏ. ପରିସର ସ୍ଥିତ ଜଉଗଡ଼ ହଲ୍‌ରେ ଆୟୋଜିତ ଏହି ଅଭିଯୋଗ ଶୁଣାଣୀ ଶିବିରରେ ଅଧିକାଂଶ ଭିନ୍ନକ୍ଷମଙ୍କ ଗୁହାରୀ ଶୁଣି ସେମାନଙ୍କୁ ଆଶ୍ଵାସନା ଦେଇ ସହାୟତା ରାଶି ପ୍ରଦାନ କରି ଉତ୍ସାହିତ କରିଛନ୍ତି ।

Leave A Reply

Your email address will not be published.