ଜିଲ୍ଲା ପରିଷଦ-ଜିର ଷ୍ଟାଣ୍ଡିଂ କମିଟିର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ-ଜିର ଷ୍ଟାଣ୍ଡିଂ କମିଟିର ବୈଠକ ଗତକାଲି ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭ୍ୟ ଯୁବରାଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ଶିକ୍ଷା ଓ କ୍ରୀଡ଼ା ସମ୍ପର୍କରେ ଆଲୋଚନା ହୋଇଥିଲା । କୋଭିଡ କଟକଣା ଯୋଗୁଁ ଜିଲ୍ଲାର ସମସ୍ତ ସ୍କୁଲର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନ୍‌ଲାଇନରେ ପାଠ ପଢ଼ୁଛନ୍ତି । ଜିଲ୍ଲାର କେବଳ ୪୨% ଛାତ୍ରଛାତ୍ରୀ ଏହି ପାଠପଢ଼ାରେ ସାମିଲ ହୋଇପାରୁଛନ୍ତି ବୋଲି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏହାର ମୁଖ୍ୟ କାରଣ ଅନେକ ଅଭ୍ୟନ୍ତରୀଣ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ହୋଇପାରୁନଥିବା ବେଳେ ଅନେକ ଗରିବ ଶ୍ରେଣୀର ଲୋକମାନଙ୍କ ପାଖରେ ସ୍ମାର୍ଟ୍ ଫୋନ୍ ନଥିବାରୁ ପାଠପଢ଼ା ସମ୍ଭବ ହୋଇପାରୁନାହିଁ ବୋଲି ବିଭାଗୀୟ ଅଧିକାରୀ ରାଧାକାନ୍ତ ଛତ୍ରୀ ଉତ୍ତର ରଖିଥିଲେ । ସେହିପରି ବର୍ତ୍ତମାନ କରୋନା ଯୋଗୁଁ ବନ୍ଦ ଥିବା ସ୍କୁଲର ପାରିପାର୍ଶ୍ବିକ ଅବସ୍ଥିତି ଠିକ୍ ରଖିବା, ସ୍କୁଲ ମରାମତି, ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା, ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଚାଉଳ ଓ ଅନ୍ୟ ଖାଦ୍ୟ ପଦାର୍ଥର ଗୁଣାତ୍ମକ ମାନ ଉପରେ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କ୍ରୀଡା ସମ୍ପର୍କରେ ଆଲୋଚନା ବେଳେ ଜିଲ୍ଲାର ୧୨ ଟି ବ୍ଲକରେ ତିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୪ ସହରାଞ୍ଚଳରେ ତିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଜିଲ୍ଲାର ୫ଟି ସ୍ଥାନରେ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ସରକାରୀ ଆଦେଶ ମିଳି ସାରିଥିବା ବେଳେ ବରଗଡ଼ ସହରାଞ୍ଚଳରେ ଜାଗା ମଧ୍ୟ ଚିହ୍ନଟ ହୋଇସାରିଛି ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ତୁଷାର କାନ୍ତି ମିଶ୍ର ପ୍ରକାଶ କରିଥିଲେ । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଉପାଧ୍ୟକ୍ଷ ମଦନ ଦୀପଙ୍କ ସମେତ ସଭ୍ୟ ସଭ୍ୟା ଶଙ୍କର ଖାଲକୋ, ଉମେଶ ବେହେରା, ଅଶୋକ ସାହୁ, କୁମୁଦିନୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ଶେଷରେ ସଭ୍ୟା ନନ୍ଦିନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.