ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ସାଇରାଜ୍ କଲ୍ୟାଣ ମଣ୍ଡପଠାରେ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚାର ଦ୍ଵିତୀୟ ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି ସାଗର ଚରଣ ଦାସ ଯୋଗ ଦେଇଥିଲେ ଏବଂ ଏହି ବୈଠକରେ ସର୍ବସମ୍ମତି କ୍ରମେ ପଦ୍ମପୁର ଜିଲ୍ଲା ଦାବୀ କରାଯାଇଥିଲା । କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ କୁହାଯାଇଥିଲା ଯେ, ପଶ୍ଚିମ ଓଡ଼ିଶାର ପଦ୍ମପୁର ଅଞ୍ଚଳ ବୋଡାସମ୍ବର୍ ଅଞ୍ଚଳ ଭାବେ ଇତିହାସ ପ୍ରସିଦ୍ଧ । ଏହି ବୀର ମାଟିରେ ପବିତ୍ର ପର୍ଯ୍ୟଟନ କ୍ଷେତ୍ର ନୃସିଂହନାଥ ଅବସ୍ଥିତ ଅଛି । ପଦ୍ମପୁର ଓଡ଼ିଶା ମାନଚିତ୍ରରେ ସବ ଡ଼ିଭିଜନ ମାନ୍ୟତା ପାଇଛି ଏବଂ ଏହା ବର୍ତ୍ତମାନ ବରଗଡ଼ ଜିଲ୍ଲା ଅଧୀନରେ ଆସୁଛି । କିନ୍ତୁ ଦୁଃଖର ବିଷୟ ପଦ୍ମପୁର ଅଞ୍ଚଳର ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ହେଲେ ୧୦୦ କିଲୋମିଟର ଯିବାକୁ ପଡୁଛି । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ୬ଟି ବ୍ଲକ ମରୁଡ଼ି ପ୍ରପୀଡିତ ଅଟେ । ଚାଷୀ ସମସ୍ୟା, ଦାଦନ ସମସ୍ୟାରେ ଜର୍ଜରିତ ଏହି ଅଞ୍ଚଳକୁ ସରକାର ଅବହେଳା କରୁଛନ୍ତି ଏବଂ ଏହି ଅଞ୍ଚଳର ବିକାଶ ଧାରାରେ ବାଧକ ସାଜୁଛନ୍ତି । ବହୁ ଦିନରୁ ଦାବୀ ହୋଇ ଆସୁଥିବା ଏହି ଜନ ଦାବୀକୁ ସରକାର ଗୁରୁତ୍ୱ ଦେଇନାହାନ୍ତି । ଫଳ ସ୍ୱରୂପ ଏହି ଅଞ୍ଚଳରେ ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏଣୁ ସରକାର ଏହି ଅଞ୍ଚଳର ଜନଭାବନାକୁ ସମ୍ମାନ ଜଣାଇ ତୁରନ୍ତ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବୀ କରୁଛି କେଏମଏମ । ଯଦି ସରକାର ଏହି ଦିଗରେ ସଠିକ୍ ନିର୍ଣ୍ଣୟ ନ ନେବେ ତା’ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି । ତତ୍ ସହିତ ଆଗାମୀ ନଭେମ୍ବର ୧ ରାଜବୋଡା ସମ୍ବର କୃଷକ ସଂଗଠନର ଚାଷୀ ଆନ୍ଦୋଳନକୁ କେଏମଏମ ତରଫରୁ ସମର୍ଥନ ଘୋଷଣା କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁକ୍ତି ମୋର୍ଚ୍ଚାର ଉପ ସଭାପତି ଗଣେଶ ସାହୁ, ଆଇନ ପରାମର୍ଶଦାତା ମଣ୍ଡଳୀ ମୁଖ୍ୟ ଅଜିତ ଶତପଥୀ, ଛାତ୍ର ମୋର୍ଚ୍ଚା ସଭାପତି ଆକାଶ ପଣ୍ଡା, ଯୁଗ୍ମ ସମ୍ପାଦକ ଗଜପତି ସାହୁ, ଜିଲ୍ଲା ସଭାପତି ଘନଶ୍ୟାମ ସାହୁ, ସଂଗଠନ ସମ୍ପାଦକ ମହେଶ ପଣ୍ଡା, ଉପଦେଷ୍ଟା ବିରେନ୍ଦ୍ର ପାଣିଗ୍ରାହୀ, ଜଗନ୍ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।
Next Post