ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା ଏବଂ ପାଟଣାଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ମନମାନି ଅଭିଯୋଗ : ଜଣେ ମହିଳାଙ୍କ ଜୀବନ ହାନୀ

  • ମାଆ ଛେଉଣ୍ଡ ହୋଇଗଲେ ତିନି ଶିଶୁ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଡାକ୍ତରଖାନାରେ କର୍ମଚାରୀଙ୍କ ଅବହେଳା ଏବଂ ରକ୍ତଭଣ୍ଡାର କର୍ମଚାରୀଙ୍କ ମନମାନି ଯୋଗୁଁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରଣ ଗ୍ରାମର ଜଣେ ସଦ୍ୟ ପ୍ରସୂତି ମହିଳାଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଖପ୍ରାଖୋଲ ଥାନା ବାଗଝରଣ ଗ୍ରାମର ଜଗଦୀଶ ଭୂଏଙ୍କ ସ୍ତ୍ରୀ ମୌନାବତୀ ଭୁଏଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ବର୍ଗ ପ୍ରଥମେ ମୌନାବତୀଙ୍କୁ ସକାଳ ୬ଟା ସମୟରେ ଯୋଗୀମୁଣ୍ଡା ଉପସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଦୀର୍ଘ ବର୍ଷରୁ ଉକ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ସ୍ଵାସ୍ଥ୍ୟକର୍ମୀ ପଦ୍ମାବତୀ ମେହେର ବିନା ଅସ୍ତ୍ରୋପଚାରରେ ସଫଳ ଭାବେ ମା’ମାନଙ୍କୁ ପ୍ରସୂତି କରାଇଥିବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ମିଳିଛି । ପଦ୍ମାବତୀ ମେହେର ଉକ୍ତ ଗର୍ଭବତୀ ମହିଳାଙ୍କୁ ପ୍ରାଥମିକ ଚିକିତ୍ସା କରିବା ସହ ଦିନ ୧୧ଟା ସମୟରେ ପ୍ରସବ ହେବ ବୋଲି କହିଥିଲେ । ପାଖାପାଖି ଦିନ ୧୧ଟା ସମୟରେ ଉକ୍ତ ମହିଳା ଜଣକ ବିନା ଅସ୍ତ୍ରୋପଚାରରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁ କନ୍ୟା ଜନ୍ମ ହେବାର ଅଳ୍ପ ସମୟ ବ୍ୟବଧାନ ପରେ ମହିଳାଙ୍କ ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ରକ୍ତସ୍ରାବ ବନ୍ଦ ନହେବାରୁ ନିରୁପାୟ ହୋଇ ସ୍ୱାସ୍ଥ୍ୟକର୍ମୀ ଜଣକ ପ୍ରସୂତି ମହିଳା ଜଣକଙ୍କୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ପାଟଣାଗଡ଼ ଡାକ୍ତରଖାନାରେ ପହଞ୍ଚିବା ପରେ ପ୍ରସୂତି ଗୃହରେ ଷ୍ଟାପ ନର୍ସମାନେ ଚିକିତ୍ସା ପାଇଁ ମହିଳାଙ୍କୁ ଭିତରକୁ ନେଇଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରସୂତୀ ଗୃହକୁ କୌଣସି ଡାକ୍ତର ଯାଇନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସ୍ଥିତି ଅସମ୍ଭାଳ ହେବାରୁ କାର୍ଯ୍ୟରତ ଥିବା ଷ୍ଟାପନର୍ସମାନେ ମହିଳାଙ୍କ ଅତ୍ୟଧିକ ରକ୍ତସ୍ରାବ ହୋଇଥିବାରୁ ତାଙ୍କୁ ଓ ପୋଜିଟିଭ ରକ୍ତ ଆବଶ୍ୟକ ବୋଲି ପରିବାର ବର୍ଗଙ୍କୁ ଜଣାଇଥିଲେ । ରକ୍ତ ଭଣ୍ଡାରରେ ଓ ପୋଜିଟିଭ ରକ୍ତ ମହଜୁଦ ଥିବା ବେଳେ ଏଭଳି ଏକ ଜରୁରୀକାଳୀନ ପରିସ୍ଥିତରେ ବ୍ଳଡ ବ୍ୟାଙ୍କ କର୍ମଚାରୀମାନେ ବିନା ଏକ୍ସଚେଞ୍ଜରେ ରକ୍ତ ଦିଆଯାଇପାରିବ ନାହିଁ ବୋଲି ରୋକ ଠୋକ ମନାକରି ଦେଇଥିଲେ ।ପରିବାର ବର୍ଗ ଦୀର୍ଘ ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ରକ୍ତ ଭଣ୍ଡାର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ରକ୍ତ ପାଇଁ କାକୁତି ମିନତି ହୋଇଥିଲେ । ଶେଷରେ ମହିଳାଙ୍କ ବଡ଼ ଭାଇ ହେମନ୍ତ ଛତ୍ରିଆ ଗାଁରୁ ଆସି ନିଜେ ରକ୍ତ ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଠିକ୍ ଏହି ସମୟରେ ମହିଳାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ମୃତ ମହିଳାଙ୍କ ୧୧ ଓ ତିନି ବର୍ଷର ଦୁଇଟି ଝିଅ ଥିବାବେଳେ ଉଭୟେ ସ୍ଵାମୀ ସ୍ତ୍ରୀ ଦିନ ମଜୁରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ମହିଳାଙ୍କ ତିନୋଟି ଝିଅ ମା’ ଛେଉଣ୍ଡ ହୋଇ ଯାଇଥିବା ବେଳେ ସ୍ୱାମୀ ଜଗଦୀଶ ସ୍ତ୍ରୀକୁ ହରାଇ ମାନସିକ ଭାରସାମ୍ୟ ହରାଇ ଭାଙ୍ଗି ପଡିଛନ୍ତି । ଅନ୍ୟପଟେ ପରିବାର ବର୍ଗ ତଦନ୍ତ ପୂର୍ବକ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.