ଚିଞ୍ଚେଡ଼ରେ ଆତଙ୍କ : ୧୦ ଦିନରେ କୁକୁର ମୁହଁରେ ଗଲାଣି ୨ ଜୀବନ

ବଲାଙ୍ଗିର : ସ୍କୁଲରେ ଛାତ୍ରଛାତ୍ରୀ ପଶିବା ପରେ ତାଲା ପଡୁଛି । ଅଙ୍ଗନବାଡ଼ିକର୍ମୀ ଘରକୁ ଘର ଯାଇ ପିଲା ଆଣୁଛନ୍ତି ଏବଂ ଛୁଟିପରେ ଘରେ ନେଇ ଛାଡୁଛନ୍ତି । ଗାଁପିଣ୍ଡିରେ ଆଗ ଭଳି ଆଉ ଭିଡ଼ନାହିଁ । ମହିଳାମାନେ ଗାଁ ତୁଠକୁ ଗଲେ ବାଡ଼ିଖଣ୍ଡେ ସାଥିରେ ଧରି ଯାଉଛନ୍ତି । ଚାଷୀଠୁ ଆରମ୍ଭ କରି ଶ୍ରମିକ କେହିବି ଖାଲି ହାତରେ ଘରୁ ବାହାରୁନାହାନ୍ତି । ଏକଦା ଜନ ଗହଳିରେ ଫାଟିପଡୁଥିବା ଗୁଡ଼ଭେଲା ବ୍ଲକ ଅଧୀନ ଚିଞ୍ଚେଡ଼ ଗାଁରେ ଏବେ କୁକୁର ପାଇଁ କର୍ଫ୍ୟୁ ଭଳି ସ୍ଥିତି । ଗତ ୯ ତାରିଖରେ ପାରା ଅଲିମ୍ପିକ ଖେଳାଳି ଯୋଗିନ୍ଦ୍ର ଛତ୍ରିଆ ଏବଂ ଚାଷୀ ହୃଷୀକେଶ ରଣାଙ୍କ ମୃତ୍ୟୁପରେ ଚିଞ୍ଚେଡ଼ ଗାଁରେ ଏଭଳି ଅଘୋଷିତ କର୍ଫ୍ୟୁ ଲାଗିଛି । କୁକୁରପଲ ଗାଁର ଛେଳି, ମେଣ୍ଢା, ମଣିଷ କାହାକୁ ଛାଡ଼ୁନାହାନ୍ତି । କୁକୁର କାମୁଡ଼ାରେ ଏଯାବତ୍‌ ୫ଟି ଛେଳି ଏବଂ ୨ଜଣଙ୍କ ମୃତ୍ୟୁ ହୋଇସାରିଛି । ତେଣୁ ସମଗ୍ର ଗାଁରେ ଏବେ କୁକୁର ଦେଖିବା ମାତ୍ରେ ଲୋକେ ଭୟରେ ଘରୁ ବାହାରୁନାହାନ୍ତି । ଏପର୍ଯ୍ୟନ୍ତ ଗାଁରେ କୌଣସି ପ୍ରାଶାସନିକ ଟିମ୍‌ ପହଞ୍ଚିନାହିଁ । ସୂଚନାଯୋଗ୍ୟ, ଗତ ଜୁଲାଇ ୨୩ ତାରିଖରେ ଚିଞ୍ଚେଡ଼ ଗ୍ରାମ ନିକଟସ୍ଥ ବିଲ ପାଖକୁ ଯୋଗିନ୍ଦ୍ର ଶୌଚ ପାଇଁ ଯାଇଥିଲେ । ସେହି ସମୟରେ ତାଙ୍କୁ କେତେକ ବୁଲା କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲେ । ସେହିପରି ଗାଁର ଚାଷୀ ହୃଷୀକେଶଙ୍କୁ ମଧ୍ୟ ଉକ୍ତ କୁକୁର ପଲ ଆକ୍ରମଣ କରିଥିଲେ । ଉଭୟଙ୍କୁ ଗ୍ରାମବାସୀ ତଥା ପରିବାରଲୋକେ ଦେଓଗାଁ ଡାକ୍ତରଖାନାକୁ ନେଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅଗଷ୍ଟ ୯ ଓ ୧୦ ତାରିଖରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଅଞ୍ଚଳବାସୀଙ୍କ କହିବାନୁସାରେ, ଗାଁ ନିକଟସ୍ଥ ଜଙ୍ଗଲରେ ୩୦ରୁ ଅଧିକ କୁକୁର ଥିବାବେଳେ ଲୋକେ ଭୟରେ ବାହାରେ ବୁଲାବୁଲି କରୁନାହାନ୍ତି । ଗାଁରଅଙ୍ଗନବାଡ଼ି କେନ୍ଦ୍ର ଇନ୍‌ଚାର୍ଜ ସୁକାନ୍ତିପ୍ରଭା ସ୍ୱାଇଁଙ୍କ କହିବାନୁସାରେ ତାଙ୍କ କେନ୍ଦ୍ରରେ ପ୍ରାୟ ୩୦ଜଣ ଶିଶୁ ଅଛନ୍ତି । ତେଣୁ ସକାଳୁ ଆସିବା ପରେ ଅନ୍ୟଜଣେ ସହାୟକଙ୍କୁ ଧରି ଘରଘର ବୁଲି ପିଲାଙ୍କୁ ଆଣିଥାନ୍ତି । ମଧ୍ୟାହ୍ନରେ ଛୁଟିହେଲେ ପୁଣି ଘରକୁଘର ଯାଇ ସେମାନଙ୍କୁ ଛାଡ଼ିଥାନ୍ତି । ସେହିପରି ଗାଁର ବାସିନ୍ଦା ବଳଦେବ ନାଗଙ୍କ କହିବାନୁସାରେ, ଜଣେ ଜାତୀୟସ୍ତରର ଖେଳାଳି ଏବଂ ଜଣେ ଚାଷୀଙ୍କ ମୃତ୍ୟୁ ହୋଇସାରିଲାଣି । ହେଲେ ଏଯାଏଁ ଗାଁକୁ ପ୍ରଶାସନ ନଜର ଦେଇନାହିଁ । ଉଭୟ ପରିବାର ଗରିବଶ୍ରେଣୀର ଅଟନ୍ତି । ସେମାନଙ୍କ ମୃତ୍ୟୁପରେ ଉଭୟ ପରିବାର ଏବେ ବେସାହାରା ହୋଇପଡ଼ିଛନ୍ତି । ଏ ସମ୍ପର୍କରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡ.ବିଜୟାନନ୍ଦ ସେଠୀ କହିଛନ୍ତି ଏହା ନିହାତି ଭାବରେ ଗୁରୁତର ବିଷୟ । ଏସମ୍ପର୍କରେ ସ୍ଥାନୀୟ ପ୍ରଶାସନ ସହ କଥାହୋଇ ସ୍ଥିତି ସ୍ୱାଭାବିକ କରାଯିବ ।

jittmm
Leave A Reply

Your email address will not be published.