ଟିଟିଲାଗଡ଼, (କେପିଏନ୍ଏସ୍) : ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ଟିଟିଲାଗଡ଼ ନିକଟସ୍ଥ ସିଆଲ ଝୁଢୁଙ୍ଗି ଗ୍ରାମର ବାବୁଲାଲ ଜେନା ବୋଲି ଜଣା ପଡ଼ିଛି । ପୋଲିସ ଶବକୁ ଜବତ୍ କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ରାତି ଦୁଇଟାରେ ବାବୁଲାଲଙ୍କୁ ସାପ କାମୁଡ଼ିବା ପରେ ମତେ ଭଲ ଲାଗୁନାହିିଁ ବୋଲି କହିବାରୁ ତାଙ୍କୁ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ସାପ କାମୁଡ଼ାରେ ମୂଲ୍ୟବାନ ଜୀବନ ଚାଲି ଯାଉଥିବାରୁ ବର୍ଷା ଋତୁରେ ସମସ୍ତେ ସଚେତନ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି ।
