
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଉପକଣ୍ଠ କଣମଣା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ତରେଇ ପାଟପୁର ଗ୍ରାମରେ ବର୍ଣ୍ଣାଢ଼୍ୟ ଉତ୍ସବ ସମାବେଶରେ ଲୋକ ସଂସ୍କୃତିର ପରମ୍ପରା ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଝାମୁଯାତ୍ରା ପ୍ରାୟ ଦୁଇଶହ ବର୍ଷ ଧରି ପ୍ରଚଳିତ ହୋଇଆସିଥିବା କୁହାଯାଏ । ଛତ୍ରପୁର ସହର ଉପକଣ୍ଠ ହୁମର ଗ୍ରାମ, ତରେଇ ପାଟପୁର ଗ୍ରାମ, କରାତଳି ଗ୍ରାମରେ ମତ୍ସ୍ୟଜୀବୀ ସମ୍ପ୍ରଦାୟର କୈବର୍ତ୍ତ ଜାତିର ଲୋକଙ୍କ ଘରର ଇଷ୍ଟଦେବୀ ଭାବେ ପୂଜାପାଇ ଆସୁଥିବା ଗ୍ରାମଦେବୀଙ୍କ ସାଧନାରେ ମା’ଙ୍କ ହୁକୁମରେ ଏହି ଝାମୁଯାତ୍ରା ପାଳିତ ହୋଇଥାଏ । ଏହି ତିନିଜଣ କାଳସୀ ସାଧକ ପାଟହ୍ରଦରେ ପ୍ରତ୍ୟୁଷରୁ ସ୍ନାନ କରିବା ପୂର୍ବକ ଜଳରେ ଯୋଗ-ଧ୍ୟାନ ମଗ୍ନରେ ପଢି ରହିଥିଲେ । ସନ୍ଧ୍ୟାନଇଁ ଆସିବା ବେଳକୁ ସେମାନେ ସେମାନଙ୍କ ଯୋଗ ସାରି ଗ୍ରାମଦେବୀ ମନ୍ଦିରରେ ପ୍ରବେଶ ହୋଇ ବେଶଭୂଷାରେ ସଜ୍ଜିତ ହୋଇଥିଲେ । ପରେ ଦେବୀଙ୍କ ନିକଟରେ ଯଥାରୀତିରେ ପୂଜା ଅନୁଷ୍ଠିତ ହୋଇଥିଲା । ଗୁଆ ବରଣ ହୋଇ ଦେବୀଙ୍କ ଆଜ୍ଞା ପ୍ରାପ୍ତି ହେବା ପରେ ନାନା ବାଦ୍ୟଧ୍ୱନି ମାଧ୍ୟମରେ ଝାମୁଯଜ୍ଞ ସ୍ଥଳକୁ ତିନିଜଣ କାଳସୀଙ୍କୁ ପାଛୋଟି ଅଣାଯାଇଥିଲା । ସେଠାରେ ଛଅ ଶଗଡ଼ କାଠରେ ଜଳିଥିବା ନିଆଁବେଦି ଉପରେ ଶାକ୍ତଧର୍ମିଣୀ ସାଧକ ତିନିଜଣ କାଳସୀ ନିଆଁ ଉପରେ ଚାଲିଥିଲେ । ଏହି ପ୍ରତିପାଦିତ ପାରମ୍ପରିକ ଦେବୀଙ୍କ ମହିମା ଗାନପ୍ରଥା ଶକ୍ତି ସଚରାଚର ଜଗତକୁ ଏକ ସତ୍ୟର ଉତ୍ଥାପନ କରାଇ ଘୋର କଳିଯୁଗରେ ଭଗବତୀ ବିଶ୍ୱାସର ଉନ୍ମେଷ କରେ ବୋଲି ଜନ ଜାଗୃତି ମିଳେ ।