ଜୟପାଟଣାର ଅପହଞ୍ଚ ଇଲାକାରେ ପୁଣି ଝାଡ଼ାବାନ୍ତି : ଦୁଇ ମୃତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଟିଙ୍ଗୋପଖାନ ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ୨୭ଜଣ ପ୍ରଭାବିତଙ୍କୁ ୧୫ ଦିନ ନ ପୁରୁଣୁ ଏବେ ଜୟପାଟଣା ବ୍ଲକର ଭିନ୍ନ ଏକ ଅପହଞ୍ଚ ଇଲାକା ଭାଟିପାସ ଗ୍ରାମରେ ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି । ଧନସୁଲି ପଞ୍ଚାୟତ ଆଦିବାସୀ ବହୁଳ ହୋଇଥିବା ବେଳେ ଏହି ଗ୍ରାମରେ ଗତ ୧୯ ତାରିଖରୁ ଲୋକଙ୍କ ମଧ୍ୟରେ ଝାଡ଼ାବାନ୍ତି ଲାଗି ରହିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ୧୯ ତାରିଖ ଦିନ ସମ୍ବାରୁ ମାଝୀ (୫୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨୨ ତାରିଖ ଦିନ ଜୟପାଟଣା ଡାକ୍ତରଖାନାରେ ଉମର ମାଝୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଗତ ଶୁକ୍ରବାର ଦିନ ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଶୁଭ୍ରଜିତ ବିଶ୍ଵାଳ ଏକ ସ୍ୱତନ୍ତ୍ର ଦଳ ନେଇ ଭାଟିପାସ ଗ୍ରାମରେ ଲୋକଙ୍କୁ ପ୍ରାରମ୍ଭିକ ଚିକିତ୍ସା ଯୋଗାଇ ଥିବା ବେଳେ ଗତ ସଂଧ୍ୟାରେ ପୁଣି ଗୁରୁତର ୨ ଜଣଙ୍କୁ ଏକ ସ୍ଵତନ୍ତ୍ର ଯାନରେ ଜୟପାଟଣା ଡାକ୍ତରଖାନାକୁ ଅଣାଯାଇ ଥିବା ସୂଚନା ମିଳିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬ରେ ପହଞ୍ଚି ସାରିଛି । ସଂପୃକ୍ତ ଗ୍ରାମରେ ଧନସୁଲି ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଭାସ ପଟେଲଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ରହି ଲୋକଙ୍କୁ ସ୍ଵାସ୍ଥ୍ୟ ବ୍ୟବସ୍ଥା ସହ ସଚେତନ କରାଉଥିବା ଦେଖିବାକୁ ମିଳିଛି । ପଞ୍ଚାୟତ ମହକୁମାରୁ ୮ କିଲୋମିଟର ଦୁରରେ ଅବସ୍ଥିତ ଏହି ଦୁର୍ଗମ ଗାଁ ସବୁବେଳେ ଭୌଗୋଳିକ ପ୍ରତିବନ୍ଧକ ମଧ୍ୟରେ ରହି ଆସୁଥିଲେ ସୁଦ୍ଧା ସ୍ଥାନୀୟ ନିର୍ବାଚିତ ପ୍ରତିନିଧି କିମ୍ବା ପ୍ରଶାସନ ଏ ମାନଙ୍କ ପାଇଁ ସବୁବେଳେ ଅଲୋଡ଼ା ହୋଇ ରହି ଯାଉଥିବା ଲୋକେ ପ୍ରକାଶ କରନ୍ତି । ଦୈନନ୍ଦିନ ଜୀବନ ଯାତ୍ରା, ଭୌଗୋଳିକ ପ୍ରତିବନ୍ଧକ ମଧ୍ୟରେ ବର୍ଷ ବର୍ଷ ଧରି ରହି ଆସିଥିବା ଏହି ସରଳ ମଣିଷ ମାନଙ୍କର ସାମୁହିକ ବିକାଶ ପାଇଁ ପ୍ରଶାସନ କେବେ ତତ୍ପର ହେବ ବୋଲି ବିଭିନ୍ନ ମହଲରୁ ଦାବୀ ହେଉଛି ।

Leave A Reply

Your email address will not be published.