ଜୟପାଟଣା ଅଞ୍ଚଳରେ ଝାଡ଼ାବାନ୍ତି : ଜଣକର ମୃତ୍ୟୁ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଅଇଁଲାଭଟା ପଞ୍ଚାୟତର ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଲାଗିରହିଥିବା ବେଳେ ୧୯ଜଣ ସଂକ୍ରମିତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତନ୍ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି । ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନଥିବା ଖବର ମିଳୁଛି । ବିଶେଷକରି ଗାଁ ମାନଙ୍କରେ ଅସ୍ୱାସ୍ଥ୍ୟକର ପରିବେଶ ଓ ଅଶୋଧିତ ପାନୀୟ ଜଳ ସଂକ୍ରମଣର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି । ସୂଚନାରୁ ପ୍ରକାଶ ଯେ, ଗତ ଶନିବାର ରାତିରେ ଅଇଁଲାଭାଟା ଗ୍ରାମର ଗୋଟିଏ ପରିବାରର ୪ ଜଣଙ୍କୁ ଝାଡ଼ାବାନ୍ତି ହେବାରୁ କଲମପୁର ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଟୁଲୁ ବେଶ୍ରାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ପରେ ଗାଁ ମାଟିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏହି ସମସ୍ତଙ୍କୁ ଏକ ଅର୍ଟିକା କାର୍‌ ଯୋଗେ କଲମପୁର ନିଆଯାଇଥିଲା । ପରଦିନ ପୁଣି ସେହି ପଞ୍ଚାୟତର ଆଦିବାସୀ ବହୁଳ ଟିଙ୍ଗୋ ପଖାନ ଗ୍ରାମରେ ସଂକ୍ରମଣ ହେତୁ ଜୟପାଟଣା ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା ୧୨ ଜଣ ସଂକ୍ରମିତଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତନ୍ମଧ୍ୟରୁ ୨ ଜଣଙ୍କ ସ୍ଵାସ୍ଥ୍ୟ ଗୁରୁତର ଥିବାରୁ ଭଗତ ମାଝୀ ଓ ନରେନ୍ଦ୍ର ମାଝୀଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା । ସୋମବାର ପୁଣି ଜୟପାଟଣା ଡାକ୍ତରଖାନାର ଏକ ସ୍ୱତନ୍ତ୍ର ଦଳ ଘଟଣାସ୍ଥଳକୁ ଯାଇ ସମସ୍ତଙ୍କୁ ସଚେତନ କରେଇବା ସହିତ ପୁଣି ତିନି ଜଣ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ବିଶେଷ କରି ଗ୍ରାମର ଅଶ୍ୱାସ୍ଥକର ପରିବେଶ ସହିତ ଅଶୋଧିତ ପାନୀୟ ଜଳ ସଂକ୍ରମଣର କାରଣ ହୋଇ ଥାଇ ପାରେ ବୋଲି ଆଲୋଚନା ହେଉଥିବା ବେଳେ ସଂକ୍ରମଣ ଅଣାୟତ୍ତ ହେବା ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.