ଏଲ.ଏନ.ଜି. ଟର୍ମିନାଲ ଏବଂ ଜେଟି ନିର୍ମାଣ ନିମନ୍ତେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) ଏଲ.ଏନ.ଜି. ଟର୍ମିନାଲ ଏବଂ ଜେଟି ନିର୍ମାଣ ନିମନ୍ତେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ପରିବେଶ ଚିନ୍ତନ ବ୍ୟକ୍ତି ବିଶେଷ୍ୟଗଣ ମତପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ’ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତହସିଲ ଅନ୍ତର୍ଗତ ଗୋପାଳପୁର ବନ୍ଦରଠାରେ ମେସର୍ଷ ପେଟ୍ରୋନେଟ ଏଲଏନଜି ଲିମିଟେଡ ଦ୍ୱାରା ପ୍ରସ୍ତାବିତ ଭାସମାନ ଷ୍ଟୋରେଜ ଏବଂ ରିଗ୍ୟାସିଫିକେସନ୍ ୟୁନିଟ୍ (FSRU) ଆଧାରିତ ଏଲଏନଜି ଟର୍ମିନାଲ ଏବଂ ଜେଟି ନିର୍ମାଣ ନିମନ୍ତେ କଣମଣା, ଆର୍ଜିପଲ୍ଲୀ, କାଳୀପଲ୍ଲୀ ପଞ୍ଚାୟତର ଜନସାଧାରଣଙ୍କୁ ନେଇ ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ନେତୃତ୍ଵରେ ଏବଂ ତହସିଲଦାର , ଆଞ୍ଚଳିକ ଅଧିକରୀ ରାଜ୍ୟ ପ୍ରଦୂର୍ଶନ ବୋର୍ଡ ଦୀପକ କୁମାର ସାହୁ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ପରିବେଶ ମଞ୍ଜୁରୀ ପାଇଁ ସର୍ବସାଧାରଣ ଶୁଣାଣି ହୋଇଥିଲା । ଏଥିରେ ୨୦୦ ରୁ ୨୫୦ ଜଣ ଅଂଶଗ୍ରହଣ କରିଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା , ପଯ୍ୟାଲୋଚନା ଓ ବିରୋଧ ଫଳରେ ସ୍ଥଗିତ ରହିଲା ଜନଶୁଣାଣୀ । ପ୍ରକାଶ ଯୋଗ୍ୟ ଯେ’ ଛତ୍ରପୁର ଅଞ୍ଚଳରେ ଅନେକ କମ୍ପାନୀ ଗଢିଉଠିଛି । କିନ୍ତୁ ବିଗତ ଦିନରେ ଦେଇଥିବା ପ୍ରତିଶ୍ରୁତି, CSR ଫଣ୍ଡ ଓ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି କ୍ଷେତ୍ରରେ ବ୍ୟତିକ୍ରମ ହୋଇଥିବା ହେତୁ ବର୍ତ୍ତମାନ ଗୋପାଳପୁର ବନ୍ଦର ନିକଟରେ ଗୋପାଳପୁର ପୋର୍ଟର ୨୦ଏକର ଜାଗା ଓ ଇଡକୋର ୮୦ ଏକର ଜାଗାରେ ଏଲ.ଏନ.ଜି. ଟର୍ମିନାଲ ଏବଂ ଜେଟି ନିର୍ମାଣ ନିମନ୍ତେ ମେଶର୍ଷ ପେଟ୍ରୋନେଟ୍ ଏଲଏନଜି ଲିମିଟେଡ କମ୍ପାନୀ ଲକ୍ଷ୍ୟ ରଖିଛି । ଏଠାରେ ରିଗ୍ୟାସଫିକେଶନ, ଷ୍ଟୋରେଜ ୟୁନିଟ୍ ନିର୍ମାଣ କରାଯିବ । ଜାହାଜ ଯୋଗେ ଗ୍ୟାସ ଆସି ଲିକ୍ୟୁଡ଼କୁ ଗ୍ୟାସ୍ରେ ପରିଣତ କରି ସପ୍ଲାଏ କରାଯିବ । ତାହାକୁ ନେଇ ଯେଉଁ ଜନଶୁଣାଣି ହୋଇଥିଲା ତାହାକୁ ସ୍ଥାନୀୟ କିଛି ଲୋକ ବିରୋଧ କରୁଥିବା ବେଳେ କିଛି ଲୋକ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା । ଏହି ଜନ ଶୁଣାଣୀରେ ତିନୋଟି ପଞ୍ଚାୟତର ୨୦ ଜଣ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ପ୍ରକାଶ ଯୋଗ୍ୟ ଯେ’ ସ୍ଥାନୀୟ ଲୋକଙ୍କ ମତ ସକାରାତ୍ମକ ଓ ନକାରାତ୍ମକ ଥିବା ବେଳେ ଆଞ୍ଚଳିକ ଅଧିକାରୀ ରାଜ୍ୟ ପ୍ରଦୂଷଣ ବୋର୍ଡର ଦୀପକ କୁମାର ସାହୁ କହିଛନ୍ତି , ଏହି ଶୁଣାଣୀରେ ୨୦୦ ରୁ ୨୫୦ ଜଣ ଉପସ୍ଥିତ ଥିଲେ । ଲୋକମାନେ ନିଜେ ନିଜର ମତ ଉପସ୍ଥାପନ କଲେ, ଆମେ ଏହି ଶୁଣାଣୀର ଭିଡିଓ କ୍ଲିପ୍ ସେଣ୍ଟ୍ରାଲକୁ ପଠାଯିବ । ଏହି କମ୍ପାନୀର ଭାଗ୍ୟ ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ ହେବ ବୋଲି ଦୀପକ କୁମାର ସାହୁ (ଆଞ୍ଚଳିକ ଅଧିକାରୀ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ଏହି କମ୍ପାନୀ ଲୋକଙ୍କ ସମର୍ଥନରେ ଛତ୍ରପୁର ଅଞ୍ଚଳରେ ଗଢିଉଠିବ ନା ଲୋକଙ୍କ ବିରୋଧର ଶିକାର ହୋଇ ଅନ୍ୟତ୍ର ଜାଗାକୁ ଫେରିଯିବ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.