centurian jitm

ସାନ୍ତାଳୀ ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ

  • ସାନ୍ତାଳୀ ଭାଷା ଏବଂ ସାରନା ଧର୍ମ କୋଡ ମାନ୍ୟତା ନେବା ପାଇଁ ଆହ୍ୱାନ

ସାରସକଣା, (କେପିଏନ୍‌ଏସ୍‌) : ଝାର ପୋଖରୀଆ ଥାନା ଅନ୍ତର୍ଗତ ପୋଖରୀଆ ଗ୍ରାମ ପଞ୍ଚାୟତ ନାରାନଡିହି ଗ୍ରାମର ମାଝୀବାବା (ଗ୍ରାମ ମୁଖ୍ୟ) ନାରାନ ମୁର୍ମୁଙ୍କ ନେତୃତ୍ୱରେ ଅଲଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୨୧ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏଥିରେ ନାୟକେ ବାବା (ଦେହୁରୀ) ଲକ୍ଷ୍ମଣ କୁମାର ମୁର୍ମୁ ପଣ୍ଡିତ ମୁର୍ମୁଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସମ୍ମାନ ପ୍ରଦାନ କରିଥିଲେ ଏବଂ ଗ୍ରାମର ସମସ୍ତ ସ୍ତ୍ରୀ, ପୁରୁଷ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ତତପଶ୍ଚାତ ମାଝୀବାବା ନାରାନ ମୁର୍ମୁ କହିଥିଲେ ଯେ ପଣ୍ଡିତ ରଘୁନାଥ ମୁର୍ମୁ ସମାଜର ମହାନ ଗୋୖରବ ଅଟନ୍ତି । ସେ ସାନ୍ତାଳୀ ଲିପି ଅଲଚିକିକୁ ଆବିଷ୍କାର କରି ଆଦିବାସୀ ସମାଜକୁ ଭୟଙ୍କର ଚେତାବନୀ କହିଦେଇ ଯାଇଛନ୍ତି ଯେ, ଭାଷା ଏବଂ ଧର୍ମକୁ ହଜାଇଲେ କିମ୍ବା ବଞ୍ଚାଇ ନ ପାରିଲେ ସମାଜ ବିଲୁପ୍ତ ହୋଇଥାଏ । ନିଜର ସବୁ ଅସ୍ତିତ୍ତତ୍ୱ ହରାଇବାକୁ ପଡିଥାଏ । ତେଣୁ ବର୍ତ୍ତମାନ ଆଦିବାସୀମାନେ ଏକତ୍ରିତ ହୋଇ ୩୪୫ ଧାରା ଅନୁସାରେ ସାନ୍ତାଳୀ ଭାଷାକୁ ଝାଡ଼ଖଣ୍ଡ ରାଜ୍ୟର ପ୍ରଥମ ରାଜ୍ୟଭାଷା ଏବଂ ୩୪୭ ଧାରା ଅନୁସାରେ ଓଡ଼ିଶାରେ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା କରାଇବା ସହିତ ହୋ, ମୁଣ୍ଡା, କୁଡୁଖ, ଖାଡିଆ ଇତ୍ୟାଦି ଆଦିବାସୀ ଭାଷାକୁ ସରକାରୀ ମାନ୍ୟତା କରାଇବାକୁ ହେବ, ନଚେତ ପ୍ରତ୍ୟେକ ଗ୍ରାମରେ ସାନ୍ତାଳୀ ଲିପି ଅଲଚିକିକୁ ଶିଖିଲେ ମଧ୍ୟ ଭାଷା ବଞ୍ଚିବା ଅସମ୍ଭବ ଅଟେ ବୋଲି କହିଛନ୍ତି । ସେହିପରି ଧର୍ମକୁ ବଞ୍ଚାଇବାକୁ ହେଲେ ଧାରା ୨୫ (କ) ଅନୁସାରେ ସାରନା ଧର୍ମ କୋଡ ମାନ୍ୟତା କରାଇବାକୁ ପଡିବ । ନଚେତ ଧର୍ମ କିମ୍ବା ପରମ୍ପରା ନାମରେ ଯେତେ ପୂଜାପାଠ, ନାଚଗୀତ, ସାମାଜିକ, ସଂସ୍କୃତି କାର୍ଯ୍ୟ କଲେ ବି କିଛି ବଞ୍ଚିବ ନାହିଁ, ସବୁ ସମାପ୍ତ ହୋଇଯିବ । ତେଣୁ ଆଦିବାସୀ ସମାଜର ମାତୃଭୂମି ଝାଡ଼ଖଣ୍ଡ ରାଜ୍ୟ, ମାତୃଭାଷା ସାନ୍ତାଳୀ, ସାରନା ଧର୍ମ ଆଦିକୁ ବଞ୍ଚାଇବାକୁ ହେଲେ ଅବିଳମ୍ବେ ବୃହତ ଏକତା ଗଠନ କରି ବୃହତ ଜନ ଆନ୍ଦୋଳନ କରାଯାଇ ସରକାରୀ ମାନ୍ୟତା କରାଇବାକୁ ହେବ ବୋଲି ମାଝୀବାବା ନାରାନ ମୁର୍ମୁ ଆହ୍ୱାନ କରିଛନ୍ତି । ଜୟନ୍ତୀ ପାଳନ ଅବସରରେ ପାର୍ଗାନା ବାବା ଅର୍ଜୁନ ମୁର୍ମୁ, ଯୋଗମାଝୀ ବାବା ଶ୍ରୀ ସିଲୁ ବାସ୍କେ, ଶ୍ରୀ କରନ ସୋରେନ, ଗଡେତ ବାବା ଶ୍ରୀ ଚଘ୍ରା ହେମ୍ବ୍ରମ, କୁଶ ମୁର୍ମୁ, ନିମାଇଁ ଚାନ୍ଦ ମାର୍ଣ୍ଡି, ଶିଙ୍ଗ୍ରାୟ ହେମ୍ବ୍ରମ, ସୁକଦେବ ସୋରେନ ସହିତ ଶତାଧିକ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.