ମହାନ ଜନନାୟକ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟ ଅନୁଗୋଳ ଆନୁକୂଲ୍ୟରେ ମହାନ ଜନନାୟକ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ ୨୦୨୩ ରାଉରକେଲାର ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳର ସଭାପତି କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ବୈଦ୍ୟନାଥ ଦାସଙ୍କ ଆବାହକତ୍ୱ ତଥା ସୁନନ୍ଦା ବରାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ସମାରୋହରେ ସୁଶୀଳାବତୀ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରଦ୍ଧାଞ୍ଜଳୀ ମିଶ୍ର ମୁଖ୍ୟଅତିଥି, ରାଉରକେଲା ଶାଖା ଜଗଦା ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଏନ୍‌ଆଇଟିର ପ୍ରଫେସର ଡ଼ଃ ରଘୁନାଥ ଦାଶ ମୁଖ୍ୟବକ୍ତା, ଇନ୍ଦ୍ରମୋହନ ପଣ୍ଡା ଓ ପ୍ରମୋଦ କୁମାର ଦାସ ଅନ୍ୟତମ ଅତିଥି ଭାବେ ମଞ୍ଚାସୀନ ଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଜନନାୟକ ନବକୃଷ୍ଣଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ତାଙ୍କର ବିଭିନ୍ନ ଜନହିତକର ଆଇନ, ଜଣେ ନିଷ୍ଠାପର ତଥା ନିଃସ୍ଵାର୍ଥପର ସମାଜସେବା, ସମାଜବାଦ ଓ ସର୍ବୋଦୟର ସମନ୍ୱୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ସାଧାରଣଜ୍ଞାନ ପରୀକ୍ଷାରେ ସଫଳତା ଲାଭ କରିଥିବା ଶୁଭଙ୍କର ସୂତାର, ପଦ୍ମଲୋଚନ ବାରିକ, ଜୟନ୍ତୀ ସାହୁଙ୍କୁ କ୍ରମାନ୍ୱୟରେ ପ୍ରଥମ ଦ୍ୱିତୀୟ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମା’ ବାଟ ମଙ୍ଗଳା ମହିଳା ସମିତିର ସମ୍ପାଦିକା ବୀଣାପାଣି ପଟ୍ଟନାୟକ ଓ ଉତ୍କଳ ବିହାର ମହିଳା ସମିତିର ସଭାପତି ହରପ୍ରିୟା ପଟ୍ଟନାୟକ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଶେଷରେ ଭଗବାନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରୁବି ପଣ୍ଡା, ସୁଷମା ମହାପାତ୍ର, ସୋମା ସିଂ, ନିରୁପମା ବେହେରା, ଅକ୍ଷୟ ନାୟକ, ଦିଲ୍ଲିପ ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.