ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଧାମରା ସଂଘ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ଓ ସହ ସମ୍ପାଦକଙ୍କ ମଞ୍ଚ ସଂଯୋଜନାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୭ତମ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରଭାତ କୁମାର ପାଢ଼ୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା ବେଳେ ମୁଖ୍ୟବକ୍ତା ପ୍ରଫେସର ଡ଼ଃ ସୋମାଚାନ୍ଦ କାନ୍ତକବିଙ୍କ ସାମଗ୍ରିକ ଜୀବନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବହୁମୁଖୀ ପ୍ରତିଭାର ଅଧିକାରୀ କାନ୍ତକବିଙ୍କ ସାହିତ୍ୟ କୃତି ଆଲୋଚନା ବେଳେ ତାଙ୍କ ରଚିତ ଅନେକ ପଦ୍ୟାଂଶ ଉପରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ । ସହୀଦ ମାଟି ଭଦ୍ରକର ଗୌରବମୟ କୀର୍ତ୍ତିଗାଥା ସହ ଉତ୍କଳ ମାତାର ବନ୍ଦନାରେ ତାଙ୍କର ଲେଖନୀ ଯେପରି ଚଳଚଞ୍ଚଳ ହୋଇଉଠିଛି, ତାହା ତାଙ୍କ ଜାତୀୟତା ବୋଧର ପ୍ରମାଣ । ତାଙ୍କର ଦାୟାଦ ଭାବେ ଆମେ ଏହି ଚେତନାକୁ ବଜାୟ ରଖିବା ସହ ଆମ ପରପିଢି ମାନଙ୍କୁ ମଧ୍ୟ ଜାଗୃତ କରିବାକୁ ଡ଼ଃ ଚାନ୍ଦ କହିଥିଲେ । ସମ୍ମାନିତ ଅତିଥି ଭାବେ କାନ୍ତକବିଙ୍କ ଅନ୍ୟତମ ନାତି ବାଣୀ କଲ୍ୟାଣ ମହାପାତ୍ର ବ୍ୟାଧି ଗ୍ରସ୍ତ କାନ୍ତକବି ଓ ତାଙ୍କ ପାରିବାରିକ କେତେକ ଅଜଣା କଥାର ସ୍ମୃତି ରୋମନ୍ଥନ କରିଥିଲେ । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଭଗବାନ ରାଉତ ସମସ୍ତଙ୍କୁ ସ୍ୱାଗତ କରିବା ସହ କାନ୍ତକବିଙ୍କ ଜୟନ୍ତୀ ପାଳନ କରି ଧାମରା ସଂଘ ତା’ର ୨୬ ବର୍ଷର ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ । ସହ ସମ୍ପାଦକ ଶ୍ରୀ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ସାହିତ୍ୟ ସମ୍ପାଦିକା ନିରୁପମା ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଧାମରା ସଂଘର ପ୍ରାକ୍ତନ ସଭାପତି ରଘୁବର ଧଳଙ୍କ ପତ୍ନୀଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
Prev Post