centurian jitm

ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଆନୁକୂଲ୍ୟରେ କବିଶ୍ରୀ ଜୟଦେବ ଜୟନ୍ତୀ ସମାରୋହ ପାଳିତ

nschool

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲ ପ୍ରଶାସନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ କବିଶ୍ରୀ ଜୟଦେବ ଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମାରୋହ -୨୦୨୩ ସ୍ଥାନୀୟ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସ୍ମୃତିଚାରଣ ସଭା ଆୟୋଜନ କରାଯାଇ କବିଶ୍ରୀ ଜୟଦେବଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ କବି ଶ୍ରୀଧର ବାଗ ଏବଂ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଐତିହାସିକ ଗବେଷକ ସୁଦାମ ନାଏକ, ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ଏବଂ ବିଶିଷ୍ଟ କଳାକାର କୃଷ୍ଣଚନ୍ଦ୍ର ସିନ୍ଦ୍ରିଆ ଓ ସାଥୀ କଳାକାର ଜୟଦେବ ବିରଚିତ ଶ୍ରୀତ କମଳା କୁଚ ପରିବେଷଣ କରିଥିଲେ । ସଭାର ଆବାହିକା ଜିଲ୍ଲା ସଂସ୍କୃତି ଅଧିକାରୀ, ସୁଶ୍ରୀ ଯମୁନା ପ୍ରଧାନ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ବାଗ ଅକ୍ଷୟ ତୃତୀୟା ଦିବସର ତାତ୍ପର୍ଯ୍ୟ ସହିତ କବିଶ୍ରୀ ଜୟଦେବଙ୍କ ଜୀବନୀ ଓ କାର୍ଯ୍ୟାବଳୀ ତଥା କାଳଜୟୀ ପବିତ୍ର କାବ୍ୟ ଗୀତ ଗୋବିନ୍ଦ ଉପରେ ସୁନ୍ଦର ଭାବରେ ବକ୍ତବ୍ୟ ରଖିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କବି ଶ୍ରୀ ବାଗ ସଂସ୍କୃତ ଶ୍ରୀ ଗୀତଗୋବିନ୍ଦର ସୁନ୍ଦର କୋଶଳୀ ଅନୁବାଦ କରି ଏକ ପୁସ୍ତକ ପ୍ରକାଶନ କରିଛନ୍ତି । ଗବେଷକ ଓ ଐତିହାସିକ ସୁଦାମ ନାଏକ କବି ଜୟଦେବଙ୍କ ଜୀବନୀ ବୃତ୍ତାନ୍ତ ତର୍ଜମା କରିବା ସହିତ ତତ୍‌କାଳୀନ ସମାଜ ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି କାଳଜୟୀ ରଚନାର ପ୍ରାସଙ୍ଗିକତା ଉପରେ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନର ଉପଯୋଗିତା ସହିତ ଆମର ସମୃଦ୍ଧ ପ୍ରାଚୀନ ପରମ୍ପରାକୁ ମଧ୍ୟ ବଜାୟ ରଖିବା ପାଇଁ ଆହ୍ଵାନ ଦେଇଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଧାନ ଓ ଆଖ୍ୟାୟିକା ତ୍ରିପାଠୀ କବିଶ୍ରୀ ଜୟଦେବଙ୍କ ଜୀବନୀ ଓ କାବ୍ୟ କୃତି ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଉପଲକ୍ଷେ ସାହାରା ଟ୍ରଷ୍ଟ୍ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞାଶ୍ରୀ ମହାକୁର ଦଶାବତାର ଓ ଆଦ୍ୟାଶା ପୁରୋହିତ ଶକ୍ତି ବନ୍ଦନା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ଅନୁଷ୍କା ହୋତା ଓଡିଶୀ ଶିବତାଣ୍ଡବ ନୃତ୍ୟ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ସଦସ୍ୟା, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀମାନେ ବହୁଳ ସଂଖ୍ୟାରେ ଉପସ୍ଥିତ ରହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଦ୍ୟାପତି ପଣ୍ଡା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଯୋଜନା କରି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସାହାରା ଟ୍ରଷ୍ଟ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସଂସ୍କୃତି ବିଭାଗର ଦୁଖିଶ୍ୟାମ ସେଠୀ, କଳାକାର ନିରାକାର ଦେହୁରୀ ପ୍ରମୁଖ କର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.