
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃ ସମୟରେ ସ୍ଥାନୀୟ ଆମ୍ବେଦକର ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ସହିତ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲା ଆମ୍ବେଦକର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ କମିଟି କର୍ମକର୍ତ୍ତା ତଥା ବିଭିନ୍ନ ସ୍ବେଛାସେବୀ, ଆମ୍ବେଦକର ପ୍ରେମୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜନ କରାଯାଇଥିଲା । ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ୍ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କଁହର ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ ଶ୍ରୀଧର ବାଗ ଯୋଗଦେଇ ସମାଜ ପ୍ରତି ବାବାସାହେବ ଆମ୍ବେଦକରଙ୍କ ଯୋଗଦାନ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ଵାରା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମାରୋହ ଅବସରରେ ପୁରସ୍କୃତ କରାଯାଇଥିଲା । ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ବକୃତା ପ୍ରତିଯୋଗିତାରେ ୟସରାଜ ମହାକୁର କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର -ପ୍ରଥମ, ଅଂଶୁମାନ ଚାନ୍ଦ ସାହାରା ଟ୍ରଷ୍ଟ ହାଇସ୍କୁଲ ଦ୍ଵିତୀୟ, ଋତୁପର୍ଣ୍ଣା ମହାକୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ସୋନପୁର ତୃତୀୟ, ହୋଇଥିବା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ମଧୁସ୍ମିତା ମେହେର ଏସ୍ଏସ୍ଭିଏମ୍ ସୋନପୁର ପ୍ରଥମ, ଇଷିକା ଅତିସୌମ୍ୟ ଖମାରୀ ସାହାରା ଟ୍ରଷ୍ଟ ହାଇସ୍କୁଲ ଦ୍ଵିତୀୟ ଓ ଉମାକାନ୍ତ ମହାଲିକ କୋଶଲ ହାଇସ୍କୁଲ ସୋନପୁର ତୃତୀୟ ହୋଇ ପୁରସ୍କୃତ ହୋଇଛନ୍ତି । ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ଓଡ଼ିଆ ବକୃତା ରେ ଅର୍ଚ୍ଚନା ମହାନ୍ତି ଏସ୍ଏସ୍ଭିଏମ୍ ସୋନପୁର, ପ୍ରୀତି ପ୍ରିୟଦର୍ଶିନୀ କୁମ୍ଭାର, ଦଧିବାମନ ହାଇସ୍କୁଲ ବାଉଁସୁଣୀ, ଲିପିକା ଖେତୀ ପିଏସ୍ ସରକାରୀ ଉଚ୍ଚ ବିଦ୍ୟାଳୟ ବୀରମହାରାଜପୁର ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ପୁନଶ୍ଚ ଇଂରାଜୀ ବକୃତାରେ ଅନ୍ୟାଶା ଦୀକ୍ଷିତ ଏସ୍ଏସ୍ଭିଏମ୍, ସୋନପୁର ପ୍ରଥମ, ଶିବାନନ୍ଦ ପଣ୍ଡା ସାହାରା ଟ୍ରଷ୍ଟ ହାଇସ୍କୁଲ ଦ୍ଵିତୀୟ, ରୁପାଲୀ ସାହୁ ପିଏସ୍ ସରକାରୀ ଉଚ୍ଚ ବିଦ୍ୟାଳୟ ବୀରମହାରାଜପୁର ତୃତୀୟ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି । ମହାବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ଓଡ଼ିଆ ବକୃତା ପ୍ରତିଯୋଗିତାରେ ସୁବ୍ରତ କୁମାର ମେହେର, କରୁଣା ଛତ୍ରିଆ ପ୍ରମୁଖ ସୋନପୁର କଲେଜ ସୋନପୁର ପ୍ରଥମ ଓ ଦ୍ଵିତୀୟ ହୋଇଥିବା ବେଳେ ଚିନ୍ମୟ କୁମାର ମିଶ୍ର କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ସଭାରେ ନାଗରିକ ସମାଜ ପକ୍ଷରୁ ସମାଜସେବୀ ଘାସିରାମ ପଣ୍ଡା, ଜିଲ୍ଲା ବାବା ସାହେବ ଆମ୍ବେଦକର ସ୍ବେଛାସେବୀ ଅନୁଷ୍ଠାନର ସଭାପତି ରବିନ୍ଦ୍ର କୁମ୍ଭାର ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଦ୍ୟାପତି ପଣ୍ଡା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଜୟନ୍ତୀ ସଭାରେ ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ବିଭିନ୍ନ ବିଭାଗର ଅଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବରିଷ୍ଠ ନାଗରିକ ସମାଜର ଗନ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇ ଥିଲେ ।
