ଶ୍ରମିକ ନେତା ବିଶ୍ୱନାଥ ପଣ୍ଡିତଙ୍କ ୧୦୪ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜବାଦୀ ନେତା ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଓ ଓଡ଼ିଶା ମେହେନ୍ତର ସଂଘର ପ୍ରତିଷ୍ଠାତା ଶ୍ରମିକ ନେତା ବିଶ୍ୱନାଥ ପଣ୍ଡିତଙ୍କ ୧୦୪ତମ ଜୟନ୍ତୀ ହିନ୍ଦ ମଜଦୂର ସଭାର ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ବ୍ରହ୍ମପୁର ନଗର ଚିକିତ୍ସାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ହିନ୍ଦ ମଜଦୂର ସଭାର ଉପସଭାପତି ରବି ରଥ ସଭାପତିତ୍ୱ କରି ଓଡ଼ିଶାରେ ଅସଂଗଠିତ ଶ୍ରମିକ, କର୍ମଚାରୀମାନଙ୍କୁ ସଂଗଠିତ କରିବା ସହିତ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ କରିବା କ୍ଷେତ୍ରରେ ବିଶ୍ୱନାଥ ପଣ୍ଡିତଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ବିଶେଷ କରି ସମାଜର ଦଳିତ, ନିଷ୍ପେସିତ, ଅବହେଳିତ, ପଛୁଆ ବର୍ଗଙ୍କ ତ୍ରାଣକର୍ତ୍ତା ଥିଲେ ବିଶ୍ୱନାଥ । ଏହିଭଳି ଜଣେ ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କର୍ମଚାରୀମାନଙ୍କୁ ଶ୍ରୀ ରଥ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ବିଶ୍ୱନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଇନ ପରାମର୍ଶଦାତା ଶିବଶଙ୍କର ପତି, ରାଜ୍ୟ ସମ୍ପାଦକ ରବିନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦିକା ରେଣୁପ୍ରିୟା ପାଢ଼ୀ, ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପଣ୍ଡିତ, ମମତା ନାୟକ, ଟୁଟୁ ନାୟକ, ଜି. ନରସିଂହ ରାଓ, ସୀମାଞ୍ଚଳ ସେଠୀ, ବାଳକୃଷ୍ଣ ନାୟକ ପ୍ରମୁଖ ଉପସ୍ଥିତ ରହି ବିଶ୍ୱନାଥ ବାବୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ ।

jittmm
Leave A Reply

Your email address will not be published.