ରଘୁନାଥ ନୋଡାଲ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

ଭୋଗରାଇ : ଦେଶ ଗଠନ ଓ‌ ବିକାଶରେ ଶିକ୍ଷା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେଉଁ ଅଞ୍ଚଳ ଶିକ୍ଷା କ୍ଷେତ୍ରରେ ଯେତେ ଅଗ୍ରଣୀ ସେହି ଅଞ୍ଚଳ ସେତେ ଉନ୍ନତ ଓ ବିକଶିତ । ଏଣୁ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ସୁଦୃଢ କରିବା ଆବଶ୍ୟକ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ସରସ୍ବତୀପୁର ରଘୁନାଥ ନୋଡାଲ ଏକାଡେମୀ ଶିକ୍ଷାର ବିକାଶ କ୍ଷେତ୍ରରେ ଦୀର୍ଘ ୫୦ ବର୍ଷର ଯୁଗାନ୍ତକାରୀ ମାଇଲଖୁଣ୍ଟ ଅତିକ୍ରମ କରି ଏହି ଶିକ୍ଷା ବିକାଶରେ ଏହି ଅଞ୍ଚଳକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ବୋଲି ସଂପୃକ୍ତ ଶିକ୍ଷାନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ଭୋଗରାଇ ବିଧାୟକ ତଥା ବାଲେଶ୍ଵର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନନ୍ତ ଦାସ ମତବ୍ୟକ୍ତ କରିଛନ୍ତି ।

ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ସରସ୍ଵତୀପୁର ନୋଡାଲ ଏକାଡେମୀକୁ ପୁରିଛି ୫୦ ବର୍ଷ । ଏହି ଅବସରରେ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦ୍‌ଘାଟନୀ ସଭାରେ ପୂର୍ବତନ ଛାତ୍ର ତଥା ପୂର୍ବତନ ଦେହୁର୍ଦ୍ଦା ସରପଞ୍ଚ ରମାକାନ୍ତ କରଣ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନନ୍ତ ଦାସ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନଟବର ଜେନା ଯୋଗଦେଇ ଶିକ୍ଷା ବିକାଶରେ ଏହି ଶିକ୍ଷାନୁଷ୍ଠାନର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବ୍ରତ ଘରାଇ, ପ୍ରଧାନ ଶିକ୍ଷକ ଅରୁଣାଂଶୁ ଶେଖର ମାଝୀ ପ୍ରମୁଖ ଯୋଗ ଦେଇ ଏହି ଶିକ୍ଷାନୁଷ୍ଠାନର ଗୈାରବମୟ ଇତିହାସ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସହକାରୀ ଶିକ୍ଷକ ଚନ୍ଦନ କୁମାର ଜେନା ମଞ୍ଚ ଆହ୍ବାନ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ବଙ୍କିମ ଚନ୍ଦ୍ର ପଣ୍ଡା ବେଦପାଠ କରିଥିଲେ ।

ବିଦ୍ୟାଳୟର ଛାତ୍ରୀମାନେ ଗୀତିକାର ତୀର୍ଥେଶ ଚନ୍ଦ୍ର ରାୟ ମହାଶୟଙ୍କ ରଚିତ ଆବାହନୀ ସଙ୍ଗୀତ ଗାନ କରିଥିଲେ । କମ୍ପ୍ୟୁଟର ଶିକ୍ଷକ ଶିଶିର କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ର ସଂସଦ ସଭାପତି ରାମହରି ସୁର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ‘ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା’ ଉନ୍ମୋଚିତ ହୋଇଥିଲା । ଏହାସହିତ ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ସ୍ୱର୍ଗତ ବୃନ୍ଦାବନ ବିହାରୀ ଦାଶଙ୍କ ଜ୍ୟୋଷ୍ଠାକନ୍ୟା ତଥା ପ୍ରାକ୍ତନ ଛାତ୍ରୀ ରଶ୍ମୀରଞ୍ଜିତା ଦାଶ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନଟବର ଜେନା, କବି ତୀର୍ଥେଶ ଚନ୍ଦ୍ର ରାୟ ମହାଶୟ, ପ୍ରାକ୍ତନ ଛାତ୍ର ତଥା ବିଶିଷ୍ଟ କୃଷି ଅଧିକାରୀ ଡ଼ଃ ସିଦ୍ଧାର୍ଥ ସ୍ୱରୂପ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାକ୍ତନ ଛାତ୍ର ତଥା ସ୍ଥାନୀୟ ଓ୍ବାର୍ଡମେମ୍ବର ମଦନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ମାନସୀ ପାତ୍ର ଓ ଉପାସନା ସାହୁ ଏବଂ ସାଥୀ ମାନଙ୍କ ଦ୍ଵାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave A Reply

Your email address will not be published.